ଶ୍ରୀନଗର:ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଯେ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ ନହୋଇଛି ସେ ପର୍ଯ୍ୟନ୍ତ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ । ପିପୁଲ୍ସ ଡେମୋକ୍ରାଟିକ ପାର୍ଟ ସୁପ୍ରିମୋ ମୁଫତି ଗତକାଲି ଏକ ସାକ୍ଷାତକାରରେ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ନଲଢିବା ନେଇ ନିଷ୍ପତ୍ତି ମୁର୍ଖାମି ହୋଇପାରେ, ହେଲେ ଏହା ତାଙ୍କ ପାଇଁ ଭାବନାତ୍ମକ ବିଷୟ ।
ପ୍ରକାଶଥାଉ କି, ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ । ଏହାସହିତ ଜମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ । ମେହବୁବା ମୁଫତି କହିଛନ୍ତି, ପୁଣିଥରେ ଏଠାରେ ଧାରା ୩୭୦ ନଲାଗୁ ହେବା ପର୍ଯ୍ୟନ୍ତ ସେ କଦାପି ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ବିଧାନସଭା ସଦସ୍ୟ ରୂପେ ଶପଥ ଗ୍ରହଣ କଲି ସେତେବେଳେ ରାଜ୍ୟରେ ଦୁଇଟି ସମ୍ବିଧାନ ଥିଲା, ଗୋଟିଏ ହେଉଛି ଜମ୍ମୁ କାଶ୍ମୀରର ସମ୍ବିଧାନ ଅନ୍ୟଟି ଭାରତର ସମ୍ବିଧାନ । ହୁଏତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ମୋର ମୁର୍ଖତାପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ କିନ୍ତୁ ଏହା ମୋ ଲାଗି ଏକ ଭାବନାତ୍ମକ ବିଷୟ ।