ହାଇଦ୍ରାବାଦ:କ୍ରିକେଟ ବେଟିଂରେ ୧୦୦କୋଟି ଟଙ୍କା ହରାଇଲେ ହାଇଦ୍ରାବାଦ ବନସ୍ଥଲିପୁରମ ନିକଟ ଏଲବି ନଗର ଅଞ୍ଚଳର ଜଣେ ଅଧିବାସୀ । ଏହି ଅର୍ଥ ସେ କେତେବେଳେ ବନ୍ଧୁ ତ ଆଉ କେତେବେଳେ ସମ୍ପର୍କୀୟଙ୍କଠାରୁ ଧାର ଆଣିଥିଲେ । ଖେଳ ନିଶାରେ କୋଟି କୋଟି ଟଙ୍କା ହରାଇଛନ୍ତି । ପ୍ରଥମେ ଏପରି ଖୁସିରେ ବେଟିଂ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହା ତାଙ୍କର ନିଶା ପାଲଟିଯାଇଥିଲା । ଅନେକ କ୍ଷତି ସହିବା ପରେ ମଧ୍ୟ ସେ ପଛଘୁଞ୍ଚା ଦେଇନଥିଲେ । ଆଉ ଶେଷରେ ରଚାକୋଣ୍ଡା ପୋଲିସ ହାତରେ ଧରାପଡ଼ିଛନ୍ତି ।
ଏ ନେଇ ରଚାକୋଣ୍ଡା ପୋଲିସ କମିଶନର ଡି.ଏସ ଚୌହାନ କହିଛନ୍ତି, "ଦୀର୍ଘ ୧୨ ବର୍ଷ ମଧ୍ୟରେ ସେ ୧୦୦କୋଟି ଟଙ୍କା ହରାଇଛନ୍ତି । ଏହି ଅର୍ଥ ସବୁ ସେ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କଠାରୁ ଧାର ଆଣୁଥିଲେ । ଏହି ବ୍ୟକ୍ତିଙ୍କ ନାମ ଅଶୋକ ରେଡି ବୋଲି ଜଣାପଡ଼ିଛି । ସେ କ୍ରିକେଟ ବେଟିଂ ମାମଲାରେ ଗିରଫ ହେବା ପରେ ନିଜ କାହାଣୀ ସମ୍ପର୍କରେ ପୋଲିସକୁ କହିଛନ୍ତି । ଗତ ଶୁକ୍ରବାର ପୋଲିସ ତାକୁ ଗିରଫ କରିଛି । ସହରରେ ଏପରି ବେଟିଂ ବହୁ ଏଜେନ୍ସି କରୁଥିବା ଅଭିଯୋଗ ଆସିବା ପରେ ଚଢାଉ ହୋଇଥିଲା । ଏକ ଗ୍ୟାଙ୍ଗ ସହ ଅଶୋକକୁ କାବୁ କରାଯାଇଥିଲା ।"