ଲକ୍ଷ୍ନୌ:ବହୁଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଓ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟର ଜାରି ରହିଥିବା ବିବାଦ ମାମଲାରେ ଏକ ରୋଚକମୋଡ ଦେଖିବାକୁ ମିଳିଛି । ଜ୍ୟୋତିଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିବା ସ୍ବାମୀ ଆଲୋକ ମୌର୍ଯ୍ୟ ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି । ତେବେ ଏପରି ୟୁଟର୍ଣ୍ଣ ସମ୍ପର୍କରେ ସ୍ବାମୀ ଆଲୋକ କୌଣସି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ଦର୍ଶାଇନାହାନ୍ତି । ଯାହା ପୁଣି ବିଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି ।
ଏକ ନାଟକୀୟ ଘଟଣାକ୍ରମରେ ଆଜି ସକାଳେ ସ୍ବାମୀ ଆଲୋକ ହଠାତ ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପତ୍ନୀ ଜ୍ଯୋତିଙ୍କ ନାମରେ କରିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ଦରଖାସ୍ତ ଦେଇଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ଗଣମାଧ୍ୟମ ପ୍ରତିନିଧି କମିଶନରଙ୍କ କାର୍ଯ୍ୟାଳୟରେ ଭିଡ ଜମାଇଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନରେ କୌଣସି ସିଧା ଉତ୍ତର ରଖିନଥିଲେ ଆଲୋକ । କେବଳ ସେ, ବହୁଥର ଚିନ୍ତା କରିବା ପରେ ଅଭିଯୋଗ ପ୍ରତ୍ୟାହର କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଥିଲେ । ତେବେ ଆଲୋକଙ୍କ ଏପରି ହଠାତ ନିଷ୍ପତ୍ତିରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । କିଛି ଭିତିରି ବୁଝାମଣା ନା ଚାପରେ ଆଲୋକ ମାମଲା ପ୍ରତ୍ୟାହାର କଲେ ତାହା ଏପର୍ଯ୍ଯନ୍ତ ଚର୍ଚ୍ଚା ରହିଛି ।
ତେବେ ପ୍ରଥମେ ସ୍ବାମୀ ଆଲୋକଙ୍କ ଅଭିଯୋଗ ଆସିବା ପରେ ଜ୍ୟୋତି ମଧ୍ୟ ପାଲଟା ଅଭିଯୋଗ କରିଥିଲେ । ଉଭୟ ପକ୍ଷରୁ ପରସ୍ପର ଉପରେ ଏକାଧିକ ସଙ୍ଗୀନ ଅଭିଯୋଗ କରାଯାଇଥିଲା । ଆଲୋକ ଜ୍ୟୋତିଙ୍କୁ ଦୁର୍ନୀତିରେ ସମ୍ପୃକ୍ତ ଥିବା ଓ ଅନ୍ୟ ଜଣେ ଅଧିକାରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ । ଜ୍ୟୋତି ମଧ୍ୟ ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ସ୍ବାମୀ ଆଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିଲେ ।