ଅମରାବତୀ: ଯେଉଁଠି ଚାକିରି ସେଇଠି ଚଉଠି । କଥାଟା ଆପଣଙ୍କୁ ପଢିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ବାସ୍ତବରେ ଘଟିଛି ଏପରି ଘଟଣା । ଆନ୍ଧ୍ରପ୍ରଦେଶର ଜୱାହାରଲାଲ ନେହୁରୁ ବିଶ୍ବବିଦ୍ୟାଳୟ(JNTU K)ର ଗେଷ୍ଟ ହାଉସକୁ ସଜାଯାଇଛି ମହିଳା ସଶକ୍ତିକରଣର ନିର୍ଦ୍ଦେଶିକା ସ୍ବର୍ଣ୍ଣ କୁମାରୀଙ୍କ ଚଉଠି ରାତି ଲାଗି । ଆଉ କଥାଟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କାନରେ ପଡିବା ପରେ ଘନେଇଛି ବିବାଦ । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୫ ଜଣିଆ କମିଟି ଗଠନ କରି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି ।
ଏହି ବିଶ୍ବବିଦ୍ୟାଳୟଟି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା କାକିନାଡ଼ା ଅଞ୍ଚଳରେ ରହିଛି । ଏହି ବିଶ୍ବବିଦ୍ୟାଳୟ ମଧ୍ୟରେ ଥିବା ଗେଷ୍ଟ ହାଉସଟି କେବଳ ଅଫିସ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଏହି ଗେଷ୍ଟ ହାଉସଟି ରହିଛି । ବିଶ୍ବବିଦ୍ୟାଳୟର କର୍ମକର୍ତ୍ତାମାନେ ଏହି ଗେଷ୍ଟହାଉସକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ରୁମଟି ଅଗଷ୍ଟ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ମହିଳା ସଶକ୍ତିକରଣର ନିର୍ଦ୍ଦେଶିକା ସ୍ବର୍ଣ୍ଣ କୁମାରୀଙ୍କ ବ୍ୟକ୍ତିଗତ କାର୍ଯ୍ୟ ଲାଗି ବୁକ୍ ହୋଇଥିଲା । ସ୍ବର୍ଣ୍ଣ କୁମାରୀ ନୂଆ କରି ବିବାହ କରିଥିବା ବେଳେ ଏହି ନବଦମ୍ପତିଙ୍କ ବାସର ରାତି ଲାଗି ବ୍ୟବହାର ହୋଇଥିଲା ଗେଷ୍ଟ ହାଉସ ।