ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ଅଜୟ କୁମାର ଭାଲା ଆଜି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନଙ୍କ ସମେତ ଅନ୍ୟ କିଛି ପ୍ରମୁଖ ଗୁଇନ୍ଦା ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ । ଉକ୍ତ ହିଂସାକାଣ୍ଡ ପରେ ଜାରି ରହିଥିବା ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ବର୍ତ୍ତମାନ ସେଠାକାର ସ୍ଥିତି ନେଇ ଅଧିକାରୀମାନେ ଗୃହ ସଚିବଙ୍କୁ ଅବଗତ କରିବା ନେଇ ସୂଚନା ରହିଛି ।
ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀ ପୋଲିସ କମିଶନରଙ୍କ ସମେତ ଅନ୍ୟ କିଛି ବରିଷ୍ଠ ପୋଲିସ ଅଧିକାରୀ ଓ ଗୁଇନ୍ଦା ଅଧିକାରୀ ମଧ୍ୟ ସାମିଲ ରହିବେ । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ନେଇ ତଥ୍ୟ ରଖିବାକୁ ଗୁଇନ୍ଦା ବିଭାଗକୁ ପୂର୍ବରୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିସାରିଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି, ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସା ସହ ଏହି ହିଂସାର କୌଣସି ସମ୍ପର୍କ ଅଛି କି ନାହିଁ ତାକୁ ମଧ୍ୟ ବିଶେଷ ଭାବେ ତଦନ୍ତ ପରିସରକୁ ନିଆଯାଉଛି ।