ଜୟପୁର:ରାଜସ୍ଥାନରେ ନାଗୌରରେ ଭାଣିଜୀକୁ ଦାମୀ ଉପହାର ଦେଇ ଇତିହାସ ସୃଷ୍ଟି କଲା ମାମୁଁ । ସ୍ଥାନୀୟ ଅଞ୍ଚଳର ପରମ୍ପରା ଅନୁସାରେ ମାୟରା ଲାଗି ମାମୁଁ ଭାଣିଜୀକୁ କିଛି ଉପହାର ଦେଇଥାନ୍ତି । ତେବେ ଏଠାରେ ଜଣେ ବ୍ୟକ୍ତି ନିଜ ଭାଣିଜୀକୁ ପ୍ରାୟ ୮ କୋଟି ଟଙ୍କାର ବିଭିନ୍ନ ପ୍ରକାର ଉପହାର ଦେଇଛନ୍ତି । ଏପରି ବହୁମୂଲ୍ୟ ଉପହାର ଦେଇ ସେ ଇତିହାସ ସୃଷ୍ଟି କରିଥିବା ବେଳେ ତାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।
ସ୍ଥାନୀୟ ଅଞ୍ଚଳରେ ମାୟରା ଏକ ପ୍ରଥା ରହିଛି । ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଭଉଣୀର ସନ୍ତାନଙ୍କ ବିବାହ ଉତ୍ସବରେ ନିଜ ସାମର୍ଥ୍ୟ ଅନୁସାରେ ଉପହାର ଦେଇଥାଏ । ଏହି ଉପହାରରେ କପଡ଼ା, ସୁନା ଗହଣା, ଯାନବାହାନ ଆଦି ଅନେକ ଜିନିଷ ଅନ୍ତର୍ଭୁକ୍ତ । ତେବେ ଏଠାରେ ଜଣେ ବ୍ୟକ୍ତି ଭାଣିଜୀକୁ ୧କେଜି ୧୦୫ଗ୍ରାମର ସୁନା ଅଳଙ୍କାର, ୧୪କେଜି ରୂପା, ଭଉଣୀ ଲାଗି ୪ କୋଟି ମୂଲ୍ୟ ଜମି, ଶଗଡ଼, ଓଟ ଗାଡ଼ି ଆଦି ଉପହାରରେ ଦେଇଛନ୍ତି । ଫଳରେ ବ୍ୟକ୍ତିଙ୍କ ଏପରି ମାୟରାକୁ ନେଇ ଚର୍ଚ୍ଚା ହେଉଛି । ନାଗୌରର ଢିଙ୍ଗସରା ଗ୍ରାମରେ ମୋହରିଆ ପରିବାର ଏପରି ଐତିହାସିକ ମାୟରା ପ୍ରଦାନ କରିଛନ୍ତି ।
ଏହା ବି ପଢନ୍ତୁ- ନିଆରା ପ୍ରେମ କାହାଣୀ, ବିବାହ ପାଇଁ ୪ଘଣ୍ଟା ପାରୋଲରେ ଆସିଲେ କଏଦୀ
ମୋଟ ୮ କୋଟିର ମାୟରା ଭରାଯାଇଛି । ମାୟରା ଭରିବା ଲାଗି ଅର୍ଜୁନ ରାମ ମୋହରିଆ ଓ ଭାଗିରତ ମୋହରିଆ ଧାଡ଼ି ଧାଡି ଲାଗିଥିବା ଗାଡ଼ି ସହିତ ପହଞ୍ଚିଥିଲେ । ଏହି ଗାଡ଼ି ପ୍ରାୟ ୨କିମି ପର୍ଯ୍ୟନ୍ତ ଲମ୍ବିଥିଲା । ଏଥିରେ ଅନେକ କାର, ଟ୍ରାକ୍ଟର, ଓଟ ଗାଡ଼ି, ବଳଦ ଗାଡ଼ି ଆଦି ସାମିଲ ଥିଲା । ମାୟରା ଲାଗି ଏକ ଟ୍ରାକ୍ଟର ଭର୍ତ୍ତି ଗହମ ପ୍ରଦାନ କରାଯାଇଥିଲା । ଏହି ମାୟରା ଦେଖିବା ଲାଗି ଅନେକ ଲୋକଙ୍କ ଭିଡ଼ ଜମିଥିଲା । ନାଗୌର ଜିଲ୍ଲାରେ ଏହା ସବୁଠୁ ଦାମୀ ମାୟରା ବୋଲି କୁହାଯାଉଛି । ଏହି ମାୟରା ପ୍ରଥା ଦ୍ବାରା ଜଣେ ଭାଇ ନିଜ ଭଉଣୀର ସମସ୍ତ ଆବଶ୍ୟକତାକୁ ପୂରଣ କରିଛି । ଫଳରେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
ସୂଚନା ଥାଉ କି ଏହା ପୂର୍ବରୁ ନାଗୌର ଜିଲ୍ଲାର ଡେହ ତହସିଲର ବୁରଡି ଗ୍ରାମରେ ଜଣେ ବ୍ୟକ୍ତି ୩ କୋଟି ଟଙ୍କାର ମାୟରା ଭରିଥିଲେ । ତେବେ ଏବେ ୮କୋଟି ଟଙ୍କାର ମାୟରା ଭରି ପୂର୍ବ ରେକର୍ଡ ପାର କରିଛନ୍ତି ଅର୍ଜୁନ ରାମ ମୋହରିଆ ଓ ଭାଗିରତ ମୋହରିଆ । ଏହି ଘଟଣାକୁ ନେଇ ମାୟରା ପ୍ରଥା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।