ବେଙ୍ଗାଲୁରୁ:ବହୁଚର୍ଚ୍ଚିତ ହିଜାବ ବିବାଦର ଶୁଣାଣିି କର୍ଣ୍ଣାଟକ ହାଇକୋର୍ଟରେ ବୃହତ୍ତର ଖଣ୍ଡପୀଠଙ୍କ ଅନ୍ତରୀଣ ରାୟ ପ୍ରକାଶ କରିଛନ୍ତି । ଆଜିର ଶୁଣାଣି ସମୟରେ କର୍ଣ୍ଣାଟକ ସରକାରଙ୍କୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ । ସେହିପରି ମାମଲାର ଚୂଡାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ କୌଣସି ଛାତ୍ରଗୋଷ୍ଠୀ ସ୍କୁଲ ଦ୍ବାରା ନିର୍ଦ୍ଧାରିତ ୟୁନିଫର୍ମ ବ୍ୟତୀତ ଆଉ କୌଣସି ପୋଷାକ ପରିଧାନ କରି ସ୍କୁଲ ଆସିପାରିବେ ନାହିଁ । ପରବର୍ତ୍ତୀ ଶୁଣାଣି ସୋମବାରକୁ ଧାର୍ଯ୍ୟ କରାଯାଇଛି ।
ମୁଖ୍ୟ ବିଚାରପତି ଋତୁରାଜ ଅଷ୍ଟି, ଜଷ୍ଟିସ୍ କ୍ରୀଷ୍ଣ ଏସ.ଦୀକ୍ଷିତ ଏବଂ ଜଷ୍ଟିସ୍ ଖାଜି ମୋହିଉଦ୍ଦିନଙ୍କ ବେଞ୍ଚ ଶୁଣାଣି ଜାରି ରଖିଛନ୍ତି । ମୁଖ୍ୟ ବିଚାରପତି ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ଓ ପାଠପଢା ସ୍ବାଭାବିକ କରିବାକୁ ଆଡଭୋକେଟ୍ ଜେନେରାଲ୍ ପ୍ରଭଲିଙ୍ଗ ନାଭାଡାଗିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ଶୁଣାଣି ସମୟରେ କହିଛନ୍ତି, ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ବିବାଦର ସମାଧାନର ବିକଳ୍ପ ନୁହେଁ । ଶିକ୍ଷାନୁଷ୍ଠାନ ଯଥା ସମ୍ଭବ ଖୋଲିବା ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ କ୍ଲାସରେ ପାଠପଢା ସ୍ବାଭାବିକ ଭାବେ ଆରମ୍ଭ କରନ୍ତୁ । ତେବେ ବିବାଦ ନେଇ ଯେପରି ସ୍କୁଲ ପରିସର ଅଶାନ୍ତ ନହୁଏ ସରକାର ଓ ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସହ ନିଶ୍ଚିତ କରିବେ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି ।