ଥିରୁଅନନ୍ତପୁରମ୍: କେରଳରେ ଅନୁଷ୍ଠିତ ISRO (ଭାରତୀୟ ମହାକାଶ ଗବେଷଣା ସଂଗଠନ) ପାଇଁ ଟେକ୍ନିକାଲ ପୋଷ୍ଟ ପରୀକ୍ଷାରେ ହାଇ-ଟେକ୍ କପି କରୁଥିବା ଦୁଇ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହରିୟାଣାର ବାସିନ୍ଦା । ସେମାନେ କେରଳ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ବିକ୍ରମ ସରାଭାଇ ସ୍ପେସ ସେଣ୍ଟର (VSSC)ର ଟେକ୍ନିକାଲ ଷ୍ଟାଫ ପଦବୀ ପାଇଁ ଅନୁଷ୍ଠିତ ପରିକ୍ଷାରେ ଅଶଂଗ୍ରହଣ କରିଥିଲେ । ଆଜି ଏହି ପଦବୀ ପାଇଁ ଲିଖିତ ପରିକ୍ଷା ଅନୁଷ୍ଠିତ ହୋଇଥିଲା ।
ତେବେ ଉଭୟ ପରୀକ୍ଷାର୍ଥୀ ଅତି ଚତୁରତାର ସହ ସ୍ମାର୍ଟ ଇଲୋକ୍ଟ୍ରୋନିକ୍ସ ଡିଭାଇସ ବ୍ୟବହାର କରୁଥିବା ଜଣାପଡିଥିଲା । ପରୀକ୍ଷା କେନ୍ଦ୍ରରେ ଉଭୟଙ୍କୁ ତନଖୀ କରିବା ପରେ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଉଭୟଙ୍କୁ ପରୀକ୍ଷା ପରିଚଳନା କରୁଥିବା ଅଧିକାରୀ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ତ୍ରିଭେନ୍ଦ୍ରମ ମ୍ୟୁଜିୟମ ପୋଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରି ଜେରା କରୁଛି । ପୋଲିସ ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତ ହେଉଛନ୍ତି ହରିୟାଣାର ସୁମିତ କୁମାର ଏବଂ ସୁନୀଲ ।
ଆଜି (ରବିବାର ,ଅଗଷ୍ଟ 20) ପୂର୍ବାହ୍ନ 10 ଟାରେ VSSC ପକ୍ଷରୁ ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହୋଇଥିଲା । ଥିରୁଅନନ୍ତପୁରମ୍ ସ୍ଥିତ କଟନହିଲ ସ୍କୁଲ ଏବଂ ପଟ୍ଟାମ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଉଭୟ ଅଂଶଗ୍ରହଣ କରିଥିଲେ । ଏହି ପରୀକ୍ଷାରେ ଉଭୟ ପରୀକ୍ଷାର୍ଥୀ ହେଡସେଟ୍ ଏବଂ ମୋବାଇଲ୍ ଫୋନ୍ ଲୁଚାଇ ରଖିବା ସହ ବ୍ୟବହାର କରି ନକଲ କରିବାକୁ ଚେଷ୍ଟା କରିଥିଲେ । ସନ୍ଦେହ ହେବାରୁ ଉଭୟଙ୍କୁ ତନଖି କରାଯିବା ସମୟରେ ବୈଦ୍ୟୁତିକ ସାମଗ୍ରୀ ଜବତ ହେବା ପରେ ଉଭୟଙ୍କୁ ପରୀକ୍ଷା ହଲରୁ ବାହାର କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।