ଚଣ୍ଡିଗଡ:ପଳାତକ ଘୋଷିତ ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂକୁ ଧରିବା ପାଇଁ ଦୀର୍ଘ 4ଦିନ ଧରି ପଞ୍ଜାବରେ ଜାରି ରହିଛି ରାଜ୍ୟବ୍ୟାପି ଅପରେସନ। କେବଳ ପଞ୍ଜାବରେ 80 ହଜାର ପୋଲିସ କର୍ମୀ ରହିଥିବା ବେଳେ କେନ୍ଦ୍ରୀୟ ଅର୍ଦ୍ଧ୍ବ ସାମରିକ ବଳ ମଧ୍ୟ ରାଜ୍ୟରେ ଛାଇ ହୋଇରହିଛନ୍ତି । ରାଜ୍ୟରେ ଏବେ ଅଘୋଷିତ ଜରୁରୀ ସ୍ଥିତି ଲାଗିରହିଛି । ରାଜଧାନୀ ଚଣ୍ଡିଗଡରେ ଧାରା 144 ଓ ରାଜ୍ୟରେ ପ୍ରାୟ ସମସ୍ତ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ସହର ଠାରୁ ସୀମା ସବୁଆଡେ ପୋଲିସର କଡା ଆଖି । ତଥାପି ଏତେ ବଡ ଅପରେସନ ସତ୍ତ୍ବେ କୁଆଡେ ଗଲା ଅମ୍ରିତପାଲ ସିଂ । ନା ତାକୁ ଖସାଇଦେବାରେ ପୋଲିସ ବିଭାଗର ହିଁ ପ୍ରଚ୍ଛନ୍ନ ହାତ ରହିଛି । ଏପରି ସନ୍ଦେହ ମଧ୍ୟରେ ଆଜି ପଞ୍ଜାବ ହରିୟାଣା ହାଇକୋର୍ଟ ଇଣ୍ଟେଲଜେନ୍ସିଂ ବିଫଳତା ନେଇ ପଞ୍ଜାବ ପୋଲିସକୁ ଭର୍ତ୍ସନା କରିଛନ୍ତି ।
ଆଜି ଏହି ସମ୍ପର୍କିତ ମାମଲାରେ ଶୁଣାଣି କରି ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ.ଏସ ଶେଖାଓ୍ବାତ ପଞ୍ଜାବ ପୋଲିସର କାର୍ଯ୍ୟଶୈଳୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ‘‘ସବୁ କିଛି ପୂର୍ବ ପ୍ରସ୍ତୁତି ମୁତାବକ ଆରମ୍ଭ ହେଲା, ହେଲେ ଅମ୍ରିତପାଲ ଖସିଗଲା କିପରି । ଏଥିରେ ପୋଲିସର କାହାଣୀକୁ ବିଶ୍ବାସକୁ ନିଆଯାଇ ପାରିବନାହିଁ । ଏହ ସମ୍ପୂର୍ଣ୍ଣ ଭାବେ ଗୁଇନ୍ଦା ବିଫଳତା ।’’