ଶ୍ରୀନଗର:ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସେନାର ଯବାନ ସର୍ବୋଚ୍ଚ ବଳିଦାନ ଦେବାକୁ ପଛାନ୍ତି ନାହିଁ । ହେଲେ ଗତକାଲି ଦେଶ ସେବାରେ ପ୍ରାଣବଳୀ ଦେଇଛି ଭାରତୀୟ ସେନାର ଏକ ପ୍ରଶିକ୍ଷିତ କୁକୁର ‘କେଣ୍ଟ’ । ବିଶେଷ ଭାବେ ଆତଙ୍କୀ ଅପରେସନରେ ଅଂଶଗ୍ରହଣ କରି ସେନାକୁ ସହୟତା କରିବାକୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ନେଇଥିବା ଏହି ସାହାସି ଲାବ୍ରାଡର ପ୍ରଜାତିର କୁକୁର କେଣ୍ଟ ଗତକାଲି ରଜୌରୀ ଆଣ୍ଟି ଟେରର ଅପରେସନରେ ଆତଙ୍କୀଙ୍କ ଗୁଳିରେ ଟଳି ପଡିଛି ।
ଗତକାଲି ଅପରାହ୍ନରେ ରଜୌରୀରେ ଆତଙ୍କୀଙ୍କ ଆତ୍ମଗୋପନ ନେଇ ଇନପୁଟ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କୀ ଆଡ୍ଡା ଠାବ କରିବା ପାଇଁ ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ ଅପରେସନରେ ବାହାରିଥିଲେ । ଏହି ଅପରେସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା କେଣ୍ଟ । ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଠାବ କରିବା ମିଶନରେ ସେନାର ଆଗରେ ରହି ବାଟ କଢାଉଥିଲା ଏହି କୁକୁର । ତେବେ ଅପରେସନରେ ସେନାକୁ ସଫଳତା ମଧ୍ୟ ମିଳିଲା । 2 ଆତଙ୍କୀଙ୍କୁ ସେନା ନିପାତ ମଧ୍ୟ କଲା । ହେଲେ କେଣ୍ଟ ଆତଙ୍କବାଦୀଙ୍କ ଗୁଳିରେ ଆଖି ବୁଜିଛି ।
ସର୍ବୋଚ୍ଚ ବଳିଦାନ ପରେ ସେନା ଏହି କୁକୁର ସାହାସିକତାକୁୁ ମନା ପକାଇ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛି । 21-ଆର୍ମି ଡଗ ୟୁନିଟର ଏହି ହିରୋ ଆତଙ୍କୀ ଅପରେସନରେ ସେନାକୁ ସହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ଥିଲା । ସେନାଅଧିକାରୀ ଓ ଯବାନଙ୍କ ପରି ତାର ଲମ୍ବା ସାମରିକ କ୍ୟାରିୟର ମଧ୍ୟ ରହିଛି । ପ୍ରଶିକ୍ଷଣ ଶେଷ କରିବା ପରେ ସେ ଗତ 5 ବର୍ଷ ମଧ୍ୟରେ ମୋଟ 8ଟି ସାମରିକ ଅଭିଯାନରେ ଅଂଶ ମଧ୍ୟ ଗ୍ରହଣ କରି ଗୁରୁ ଭୂମିକା ମଧ୍ୟ ନିଭାଇଛି ।