ନୂଆଦିଲ୍ଲୀ:ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଘୋଟାଲାରେ ଗିରଫ ହୋଇ ଜେଲ୍ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ଯ ଚନ୍ଦ୍ରବାବୁ ନାଇଡୁଙ୍କ ମାମଲାର ଶୁଣାଣିକୁ ଆଜି ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା । ଆଜି ଶୁଣାଣିକୁ ସ୍ଥଗିତ ରଖିବା ସହ ପରବର୍ତ୍ତୀ ତାରିଖ ଭାବେ ସୋମବାରକୁ କୋର୍ଟ ଧାର୍ଯ୍ୟ କରିଛନ୍ତି । ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସମସ୍ତ ଦଲି୍ଲ ସର୍ବୋଚ୍ଚ କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଜ ବିରୋଧରେ ଜାରି ରହିଥିବା ମାମଲା ଉଦ୍ଦେଶ୍ୟମୂଳକ ଓ ଏହାକୁ ଖାରଜ କରିବା ପାଇଁ ତଳ କୋର୍ଟରୁ ନିରାଶ ହେବା ପରେ ଏବେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି ଚନ୍ଦ୍ରବାବୁ ।
ଆଜି ନାଇଡ଼ୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପକ୍ଷ ରଖିଥିଲେ । ରାଜନୈତିକ ପ୍ରତିରୋଧକୁ ବାରଣ କରିବା ପାଇଁ ଧାରା 17A ଆକ୍ଟ ଅଣାଯାଇଥିଲା । କଣ ଏହି ମାମଲା କ୍ଷେତ୍ରରେ ତାହା ଲାଗୁ ହେବା ଉଚିତ ନୁହେଁ ବୋଲି ସାଲଭେ ପ୍ରଶ୍ନ କରିଥିଲେ । ନାଇଡ଼ୁଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅନ୍ୟତମ ବରିଷ୍ଠ ଓକିଲ ଅଭିଷେକ ସିଙ୍ଘଭି କହିଥିଲେ, ତତ୍କାଳୀନ କ୍ୟାବିନେଟ୍ ଦ୍ବାରା ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ କେବଳ ମାତ୍ର ଉତ୍ତରଦାୟୀ କରାଯାଇପାରିବ ନାହିଁ । କୋର୍ଟ ଆଜି ଆବେଦନକାରୀ ପକ୍ଷର ଯୁକ୍ତି ଶୁଣିବା ପରେ ତଳକୋର୍ଟରେ ଦାଖଲ ହୋଇଥିବା ସମସ୍ତ କାଗଜପତ୍ର ସର୍ବୋଚ୍ଚ କୋର୍ଟରେ ଦାଖଲ କରିବା ପାଇଁ କହିଥିଲେ । ସୋମବାର ସୁଦ୍ଧା ମାମଲା ସମ୍ପର୍କିତ ସମସ୍ତ ଦଲିଲ ନାଇଡୁଙ୍କ ପକ୍ଷରୁ ଦାଖଲ ହେବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ରହିଛି ।