ଚଣ୍ଡିଗଡ଼:ନୁହ ହିଂସା ମାମଲାରେ ହରିୟାଣା ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ କଂଗ୍ରେସ ବିଧାୟକ ମାମନ ଖାନ । ହିଂସାରେ ସାମିଲ ଅଭିଯୋଗରେ ପୋଲିସ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକଙ୍କୁ ଗିରଫ କରିଛି । ବିଶ୍ବ ହିନ୍ଦୁ ପରିଷଦର ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡରେ ମାମନ ଖାନଙ୍କ ସମ୍ପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ପୋଲିସ କହିଛି । ହରିୟାଣାର ଗୃହମନ୍ତ୍ରୀ ଅନୀଲ ବିଜେଙ୍କ ସମେତ ଅନେକ ବିଜେପି ନେତା ମଧ୍ୟ କଂଗ୍ରେସ ବିଧାୟକଙ୍କ ବିରୋଧରେ ହିଂସା ଉସକାଇବାର ଅଭିଯୋଗ କରିଥିଲେ ।
ଜୁଲାଇ ୩୧ରେ ନୁହରେ ବ୍ରଜମଣ୍ଡଳ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା । ହିଂସା କ୍ରମଶଃ ନୁହ ସମେତ ଆଖପାଖ ଜିଲ୍ଲାକୁ ବ୍ୟାପି ଯାଇଥିଲା । ଏଥିରେ ୨ ହୋମଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଉପଦ୍ରବୀମାନେ ନୁହରେ ୫୦ରୁ ଅଧିକ ଗାଡି ପୋଡାଜଳା କରିଥିଲେ । ହରିୟାଣା ଏସଆଇଟି ପକ୍ଷରୁ ଏହି ହିଂସା ଘଟଣାର ତଦନ୍ତ ଜାରି ରହିଛି । ଏଥିରେ କଂଗ୍ରେସ ବିଧାୟକ ମାମନ ଖାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପଚରାଉଚରା ପାଇଁ ଏସଆଇଟି ତାଙ୍କୁ ୨ ଥର ନୋଟିସ୍ କରିଥିଲା । ହେଲେ ଅସୁସ୍ଥତା କାରଣ ଦର୍ଶାଇ ସେ ହାଜର ହୋଇନଥିଲେ ।