ଚଣ୍ଡିଗଡ: ପଞ୍ଚାୟତ ନିର୍ବାଚନ ଜିତିବା ପରେ ଖୁସିରେ ନବନିର୍ବାଚିତ ସରପଞ୍ଚଙ୍କୁ ଫୁଲହାର ବଦଳରେ ନୋଟ ମାଳା ପିନ୍ଧାଇଲେ ଗ୍ରାମବାସୀ । ଶହେ କି ହଜାରେ ନୁହେଁ, ୧୧ ଲକ୍ଷ ଟଙ୍କାକୁ ମାଳ କରି ସରପଞ୍ଚଙ୍କୁ ପିନ୍ଧାଇ ଦେଲେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ହରିୟାଣା ଫରିଦାବାଦ ଅନ୍ତର୍ଗତ ତଗା ଗ୍ରାମରୁ ଏହି ଅଜବ ଘଟଣା ସାମ୍ନାକୁ ଆସିଛି । ଏହି ନୋଟ ମାଳାଟି ଏତେ ବଡ ଥିଲା ଯେ, ସରପଞ୍ଚଙ୍କୁ ଗୋଟିଏ ବିଲ୍ଡିଂର ପ୍ରଥମ ମହଲାରେ ଛିଡା ହୋଇ ଏହାକୁ ପିନ୍ଧିବାକୁ ପଡିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ନବନିର୍ବାଚିତ ସରପଞ୍ଚ ପ୍ରଥମ ମହଲାରେ ଛିଡା ହୋଇଥିବା ବେଳେ ସେ ପିନ୍ଧିଥିବା ନୋଟ ମାଳା ତଳକୁ ଝୁଲି ରହିଥିବାର ଦେଖାଯାଇଛି । ସୂଚନା ମୁତାବକ, ଶୁକ୍ରବାର ରାତିରେ ଫତେହପୁର ତଗା(Fatehpur Taga Village) ଅଞ୍ଚଳର ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷିତ ହୋଇଥିଲା । ସରପଞ୍ଚ ଆଶାୟୀ ଆସ୍ ମହମ୍ମଦ ବିଜୟ ହୋଇଥିଲେ । ଏହି ଖୁସିରେ ଗ୍ରାମବାସୀ ୫୦୦ ଟଙ୍କିଆ ନୋଟକୁ ଗୁନ୍ଥି ମୋଟ ୧୧ ଲକ୍ଷ ଟଙ୍କାର ଏକ ବିରାଟ ନୋଟ ମାଳା ତିଆରି କରିଥିଲେ(winner sarpanch awarded 11 lakhs garland) ଓ ତାଙ୍କୁ ପିନ୍ଧାଇ ଥିଲେ । ସେହି ଠାରେ ଉପସ୍ଥିତ ଥିବା ଜଣେ ଯୁବକ ତାଙ୍କର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ନବନିର୍ବାଚିତ ସରପଞ୍ଚଙ୍କ ଏହି ନୋଟ ମାଳାର ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।