ଚଣ୍ଡିଗଡ:ହରିୟାଣାର ନୁହରେ ହୋଇଥିବା ହିଂସା ପ୍ରସଙ୍ଗରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଦୁଷ୍ଯନ୍ତ ଚୌଟାଲା । ହିଂସା ପ୍ରସଙ୍ଗରେ ସେ ସରକାରୀ ଲାଇନ, ମୁଖ୍ଯମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଗୃହମନ୍ତ୍ରୀ ଅନିଲ ବିଜଙ୍କ ମନ୍ତବ୍ୟଠାରୁ ପୃଥକ ମନ୍ତବ୍ୟ ଦେଇ ସିଧାସଳଖ ହିଂସା ପଛରେ ଗୋରକ୍ଷଙ୍କ ଭୂମିକାକୁ ନେଇ ସିଧା ପ୍ରଶ୍ନ ଉଠାଇଛନ୍ତି । ରୋହତକରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ଚୌଟାଲା ହିଂସା ପଛରେ ଗୋରକ୍ଷକଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିବା ସହ ଯେଉଁମାନେ ଏହି ହିଂସାରେ ସାମିଲ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି, ‘‘ଯେଉଁମାନେ ନିଜକୁ ଗାରକ୍ଷକ ବୋଲି କହୁଛନ୍ତି, ସେମାନଙ୍କ ନିଜ ଘରେ ଗାଈ ନାହିଁ । ସେମାନେ ନିଜ ଘରେ ଗାଈକୁ ସୁରକ୍ଷା ଦିଅନ୍ତି ନାହିଁ । କେବଳ ଗୋସୁରକ୍ଷା ନାମରେ ସୋସିଆଲ ଅଭିଯାନ ଚଳାନ୍ତି । ଗୋସୁରକ୍ଷା ନାମରେ ରାଜ୍ୟରେ ପରିବେଶକୁ ନଷ୍ଟ କରନ୍ତି । ରାଜ୍ୟର ପରିବେଶକୁ ନଷ୍ଟ କରି ସେମାନଙ୍କ ଜୀବିକା ଚାଲିଥାଏ । ସେପରି ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେହିପରି ଆହୁରି ମଧ୍ଯ ସେ କହିଛନ୍ତି, ଯେଉଁ ସମାଜରେ ଏପରି ଘଟଣା ଗତ 600 ବର୍ଷ ଇତିହାସରେ ଘଟି ନଥିଲା, ସେଠାରେ ଏପରି ହିଂସା ଦେଖିବାକୁ ମିଳିଲା । ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସ୍ବାଧୀନତା ପରେ ସମଗ୍ର ମେୱାତ ଦୃଢ ଭାବରେ ଠିଆ ହୋଇଥିଲେ । ଆଜି ସେଠାରେ ଯେଉଁମାନେ ଏପରି ଘଟଣା ଘଟାଇଛନ୍ତି, ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।