ହାଇଦ୍ରାବାଦ: ଦେଶରେ ଦ୍ବିତୀୟ ଲହର କୋରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ସଂକ୍ରମିତଙ୍କ ହାର ଯେମିତି ବଢୁଛି ସେମିତି ଅଚାନକ୍ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି । ଖାସ୍ କରି ଦ୍ବିତୀୟ ଲହରରେ ଯୁବଗୋଷ୍ଠୀଙ୍କୁ ଅଧିକ ସଂକ୍ରମତି କରୁଛି, କେବଳ ସଂକ୍ରମିତ ନୁହେଂ ବରଂ ମୃତ୍ୟୁମୁଖକୁ ମଧ୍ୟ ଟାଣି ନେଉଛି । ଯୁବାବସ୍ଥା ସମୟରେ ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ସୁଦୃଢ ଥାଏ, ତଥାପି କୋଭିଡ ସେମାନଙ୍କୁ ଅଧିକ ସଂକ୍ରମିତ କରୁଛି । ଏହାର କାରଣ ଖୋଜିବାକୁ ବିଶେଷଜ୍ଞ ଚେଷ୍ଟା କରିଥିଲେ ଆଉ ସାମ୍ନାକୁ ଆଣିଥିଲେ ଚାଞ୍ଚଲ୍ୟକର ତଥ୍ୟ । ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ମୃତ୍ୟୁର କାରଣ ସାଜିଛି ‘ହାପି ହାଇପୋକ୍ସିଆ’( Happy Hypoxia) । ତେବେ କଣ ଏହି ହାପି ହାଇପୋକ୍ସିଆ । ଆସନ୍ତୁ ଜାଣିବା;-
ହାଇପୋକ୍ସିଆ କଣ-
ଶରୀରରେ ଯେତେବେଳେ ଅକ୍ସିଜେନର ମାତ୍ରା କମିଯାଏ, ସେତେବେଳେ ଏହାକୁ ହାଇପୋକ୍ସିଆ ବୋଲି କହିଥାଉ । ଏହାକୁ ହାଇପୋକ୍ସେମିଆ ମଧ୍ୟ କୁହାଯାଏ । ସାଧାରଣତଃ ଆମ ଶରୀରରେ 95 ପ୍ରତିଶତ ଅକ୍ସିଜେନ ଥିଲେ, ନର୍ମାଲ୍ ଅକ୍ସିଜେନ ଲେଭଲ୍ କୁହାଯାଇଥାଏ ମାତ୍ର ବର୍ତ୍ତମାନ କୋରୋନା ସ୍ଥିତିରେ ଅକ୍ସିଜେନ ଲେଭର୍ 40 ପ୍ରତିଶତ ତଳକୁ ଖସି ଆସୁଥିବାର ନଜିର୍ ରହିଛି । ହାଇପୋକ୍ସିଆ ହେବା ଫଳରେ ହୃତପିଣ୍ଡ, ଫୁସଫସ୍, କିଡନୀ, ମସ୍ତିସ୍କକୁ ରକ୍ତ ଯିବା ବନ୍ଦ ହୋଇଯାଏ । ଫୁସଫୁସରୁ ଆସୁଥିବା ଧମନୀରେ ରକ୍ତ ଜମାଟ ବାନ୍ଧେ ଓ ମସ୍ତିସ୍କ ସମେତ ଶରୀରର ଅନ୍ୟ ଭାଗକୁ ଅକ୍ସିଜେନ ଯିବା ବନ୍ଦ ହୋଇଯାଏ ।
ହାପି ହାଇପୋକ୍ସିଆ କଣ-
ହାଇପୋକ୍ସିଆର ଗୋଟିଏ ଷ୍ଟେଜ୍ ହେଉଛି ହାପି ହାଇପୋକ୍ସିଆ । ଏହି ସମସ୍ୟାରେ ଆପଣ ବାହାରୁ ଖୁସି ଓ ସାଧାରଣ ବ୍ୟକ୍ତି ଭଳି ମନେ ହେବେ ମାତ୍ର ଭିତରୁ ଆପଣଙ୍କ ଅକ୍ସିଜେନ୍ ଧିରେ ଧିରେ କମି କମି ଯିବ । ବାହାରୁ ହସ-ଖୁସି, ସୁସ୍ଥ ଦିଶୁଥିବା ମଣିଷ ଶରୀରରେ ଅକ୍ସିଜେନ୍ ଲେଭଲ୍ କମିବା ଆରମ୍ଭ କରିବ । ସେଥିପାଇଁ ଏହାର ନାମ ହାପି ହାଇପୋକ୍ସିଆ ରଖାଯାଇଛି ।
ଯେତେବେଳେ ଆମେ ନିଶ୍ବାସ ନେଉ, ସେତେବେଳେ ଅକ୍ସିଜେନ ସିଧା ଫୁସଫୁସକୁ ଯାଇଥାଏ । ଫୁସଫୁସରେ ଅନେକ ରକ୍ତ ବାହିକା ସାହାଯ୍ୟରେ ଶରୀରର ବିଭିନ୍ନ ଭାଗକୁ ରକ୍ତ ମାଧ୍ୟମରେ ଅକ୍ସିଜେନ ଯାଇଥାଏ । ପୁଣି ଧମଣୀ ଦେଇ ଫୁସଫୁସକୁ ଅକ୍ସିଜେନ ଫେରେ । ଏହି ପ୍ରକ୍ରିୟା ଅନବରତି ଆମ ଶରୀରରେ ଚାଲିଥାଏ । ମାତ୍ର ରକ୍ତ ବାହିକାରେ ଯେତେବେଳେ ରକ୍ତ ଜମାଟ ହୁଏ ସେତେବଳେ ଶରୀରରେ ରକ୍ତରେ ଅକ୍ସିଜେନ ପ୍ରବାହ ବନ୍ଦ ହୋଇଯାଏ ଓ ଶରୀରରେ ଅକ୍ସିଜେନର ଅଭାବ ହୁଏ ।