ଲକ୍ଷ୍ନୌ:ଭାରତୀୟ ହଜ ଯାତ୍ରୀଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଛନ୍ତି କେନ୍ଦ୍ର ସରକାର । ଯାତ୍ରାରେ ଅନାବଶ୍ୟକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଏବେ ହଜ ଯାତ୍ରା ପୂର୍ବାପେକ୍ଷା ପ୍ରାୟ ଏକ ଲକ୍ଷ ଟଙ୍କା ଶସ୍ତା ହେବାକୁ ଯାଉଛି (Haj yatra to get cheaper by Rs 1 lakh)। କେବଳ ଏତିକି ନୁହେଁ ବରଂ ଯାତ୍ରା ପାଇଁ ପୂର୍ବରୁ ଥିବା ବୟସ ସୀମା ମଧ୍ୟ ସରକାର ଉଠାଇନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଓ ଦେଶର ହଜ କମିଟି ତଥା ସମସ୍ତ ରାଜ୍ୟର ହଜ କମିଟି ଦ୍ବାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତର ପ୍ରଦେଶ ହଜ୍ କମିଟିର ଅଧ୍ୟକ୍ଷ ମୋହସିନ୍ ରଜା କହିଛନ୍ତି, କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଧ୍ୟକ୍ଷତାରେ ଜାତୀୟ ହଜ୍ କମିଟି ଏବଂ ସମସ୍ତ ରାଜ୍ୟ ହଜ୍ କମିଟି ମଧ୍ୟରେ ବୈଠକ ଆହୁତ ହୋଇଥିଲା । ଏଥିରେ ହଜ୍ ତୀର୍ଥଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ କେନ୍ଦ୍ର ସରକାର ହଜ୍ ଯାତ୍ରାରେ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଫଳରେ ହଜ ଯାତ୍ରୀ ଏବେ ପ୍ରାୟ ଏକ ଲକ୍ଷ ଟଙ୍କାର ଆର୍ଥିକ ରିହାତି ପାଇପାରିବେ ।