ଓଡିଶା

odisha

ETV Bharat / bharat

ଏହି ରାଜ୍ୟରେ ଆସିବ ୟୁନିଫର୍ମ ସିଭିଲ କୋର୍ଡ ! କ୍ୟାବିନେଟରେ କମିଟ ଗଠନ ନେଇ ନିଷ୍ପତ୍ତି - ଗୁଜୁରାଟରେ ଲାଗିବ ୟୁନିଫର୍ମ ସିଭିଲ କୋଡ

ଗୁଜୁରାଟରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋର୍ଡ । ଆଜି କ୍ୟାବିନେଟ ବୈଠକରେ କମିଟି ଗଠନ ନେଇ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସୂଚନା । ରାଜ୍ୟରେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରୀତାର ଆବଶ୍ୟକତା ଅନୁଧ୍ୟାନ କରିବ କମିଟି (Gujarat govt decision on Uniform Civil Code )। ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଆସିପାରେ ୟୁନିଫର୍ମ ସିଭିଲ କୋଡ
ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଆସିପାରେ ୟୁନିଫର୍ମ ସିଭିଲ କୋଡ

By

Published : Oct 29, 2022, 9:18 PM IST

ଗାନ୍ଧୀନଗର:ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋର୍ଡ) ଲାଗୁ ହେବା ନେଇ ବଢିଲା ସମ୍ଭାବନା । ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ସର୍ବୋଚ୍ଚ କୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ବିଟ କରି ସୂଚନା ଦେଇଛନ୍ତି (Gujarat govt decision on Uniform Civil Code )। ଉତ୍ତରାଖଣ୍ଡ ଢାଞ୍ଚାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରି ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀତାର ଆବଶ୍ୟକତା ଓ ଏସମ୍ପର୍କିତ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ ପରିସରକୁ ଅଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ବିଟରେ କହିଛନ୍ତି, ‘‘ଆଜି ବସିଥିବା କ୍ୟାବିନେଟ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋର୍ଡର କାର୍ଯ୍ୟକାରୀତା ସମ୍ପର୍କରେ ଏକ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟରେ ଏହାକୁ ଲାଗୁ କରିବାର ଆବଶ୍ୟକତା ଓ ଅନ୍ୟ ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏହି ଉଚ୍ଚସ୍ତରୀୟ ଅନୁଧ୍ୟାନ କମିଟି ଗଠନ ହେବ । ଏହି କମିଟି ଅନୁଧ୍ୟାନ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ସରକାର ।’’

ତେବେ ଚଳିତ ବର୍ଷ ଶେଷ ଭାଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ଭୂପେନ୍ଦ୍ର ସରକାର ଏହାକୁ ରାଜ୍ୟରେ ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ମେ’ ମାସରେ ସମାନ ପ୍ରକ୍ରିୟା ଆରମ୍ଭ କରିଥିଲା ଉତ୍ତରାଖଣ୍ଡ ସରକାର । ସେହିପରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ରାଜ୍ୟରେ ୟୁନିଫର୍ମ ସିଭିଲ କୋର୍ଡ କାର୍ଯ୍ୟକାରୀ କରାଯିବା ନେଇ ସଙ୍କେତ ଦେଇଥିଲେ । ତେବେ ଏହି ଧାରାରେ ସାମିଲ ହେବାକୁ ଯାଉଛି ଅନ୍ୟତମ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ।

ଏହି ନିୟମକୁ ଦେଶବ୍ୟାପୀ ଲାଗୁ କରିବାର ଆବଶ୍ୟକତା ନେଇ ମଧ୍ୟ ସମୟକ୍ରମେ ଦାବି ଉଠିଛି । କେନ୍ଦ୍ର ସରକାର ମଧ୍ୟ ସଂସଦରେ ୟୁନିଫର୍ମ ସିଭିଲ କୋର୍ଡ ନିୟମ ଲାଗୁ ନେଇ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ଏହି ସଂହିତା ଲାଗୁ ହେଲେ ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କ ବିବାହ, ଛାଡପତ୍ର ଓ ପୈତୃକ ସମ୍ପତ୍ତିର ଆବଣ୍ଟନ ଓ ସନ୍ତାନ ଜନ୍ମ କରିବା କ୍ଷେତ୍ରରେ ଏକକ ନିୟମର ପ୍ରବଧାନ ରହିବ । ଏହାକୁ ଅଲ ଇଣ୍ଡିଆ ମୁସଲିମ ପର୍ସୋନାଲ ଲ ବୋର୍ଡ (AIMPLB) ବିରୋଧ କରିଆସୁଛି । ତେବେ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିବା ପୂର୍ବରୁ ବିଜେପି ଶାସିତ ରାଜ୍ୟମାନେ ଏହାର କାର୍ଯ୍ୟକାରୀତା ନେଇ ତତ୍ପରତା ପ୍ରକାଶ କରିବା ଆରମ୍ଭ କଲେଣି । ପ୍ରଥମ ଉତ୍ତରାଖଣ୍ଡ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ମଧ୍ୟ ଏହି ଧାରାରେ ନିଜକୁ ସାମିଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details