ଗୁଜୁରାଟ: ମୁଣ୍ଡ ଉପରେ ଗୁଜୁରାଟ ବିଧାନସଭା ନିର୍ବାଚନ(Gujarat assembly elections) । ରାଜ୍ୟର ୧୮୨ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ପଡିବ ଭୋଟ । ଗୁଜୁରାଟରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି(BJP) କ୍ଷମତାରେ ରହିଛି । ଏଠାରେ ସାଧାରଣତଃ କଂଗ୍ରେସ ଓ ବିଜେପି ମଧ୍ୟରେ ପାରମ୍ପରିକ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଥିବାବେଳେ, ଚଳିତ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ବିଜେପିକୁ ଚେକ୍ ଦେବାକୁ ଉଭୟ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମରେ ଲାଗିଛନ୍ତି । ବିଜେପି ମଧ୍ୟ କ୍ଷମତା ବଜାୟ ରଖିବା ପାଇଁ ପୁରା ଦମ୍ ଲଗାଇଛି । ସେଥିପାଇଁ ତିନୋଟି ଯାକ ଦଳ ଏବେ ନିର୍ବାଚନ ପ୍ରଚାରରେ କୋଟି କୋଟି ଟଙ୍କା ଉଡାଉଥିବାର ଦେଖାଯାଇଛି ।
ନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରସ୍ତୁତି ସେତିକି ଜୋରରେ ଆଗକୁ ବଢୁଛି । ମାଳ ମାଳ ଜନସଭା, ରୋଡ ଶୋ' ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ । ମିଳିଥିବା ସୂଚନା ଅନୁସାରେ, ଭାଜପା ଗୁଜୁରାଟ ନିର୍ବାଚନୀ ପ୍ରଚାର ପାଇଁ ହେଲ୍ଟିକପ୍ଟର ଓ ଚାଟାର୍ଡ ବିମାନ ଭଡାରେ ନେଇଛି । କଂଗ୍ରେସ ଓ ଆପ୍ ମଧ୍ୟ ହେଲିକପ୍ଟରରେ ପ୍ରଚାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଜେପି ନିଜର ଷ୍ଟାର ପ୍ରଚାରକଙ୍କ ପାଇଁ ୪ଟି ହେଲିକପ୍ଟର ଭଡାରେ ନେଇଛି । ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରୁ ହେଲିକପ୍ଟରଗୁଡିକ ଗୁଜୁରାଟରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଯେପରି ସେଲିବ୍ରେଟି ପ୍ରଚାରକମାନେ କମ୍ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ସେଥିପାଇଁ ବିଜେପି ହେଲିକପ୍ଟର ବ୍ୟବସ୍ଥା ସହ ହେଲିପ୍ୟାଡ ତିଆରି କରିଛି ।