ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ସମେତ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ (Assembly Election Results) ର ଫଳାଫଳ ଆସିସାରିଛି। କେବଳ ପଞ୍ଜାବ ଛାଡି ଗୈରିକ ଦଳ ବିଜେପି ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରରେ ଦଳ କ୍ଷମତା ବଜାୟ ରଖିଛି । ଏଥିସହ ଗୁରୁତ୍ବପୂର୍ଣ୍ଣ ୟୁପିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ଯାହାକୁ ନେଇ ଏବେ ବିଜେପି ଶିବିରରେ ଉତ୍ସବର ମାହୋଲ।
ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ମାନେ ଖୁବ ଉତ୍ସାହିତ । ମନ୍ତ୍ରୀ ମାନେ ଦଳର ନେତା କର୍ମୀ ଓ ଭୋଟରଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି ।
ଏହାକୁ ନେଇ ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ସମସ୍ତ ରାଜ୍ୟର ରାଜ୍ୟ ନେତୃତ୍ବ, ସ୍ଥାନୀୟ ନେତା, କର୍ମୀ, ମହିଳା, ଯବ ସଂଗଠନ ସ୍ଥାନୀୟ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରାକୁ ଲୋକେ ଗ୍ରହଣ କରିବା ସହ ବିକାଶବାଦ ରାଷ୍ଟ୍ରବାଦକୁ ସମର୍ଥନ ଦେଇଥିବାରୁ କୃତଜ୍ଞତା ଦେଇଛନ୍ତି ।
ସେହିପରି ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ୪ ଟି ରାଜ୍ୟର ଫଳାଫଳ ଦଳ ସପକ୍ଷରେ ଯାଇଛି । ଏଥିପାଇଁ ମତଦାତା, ମାତୃଶକ୍ତି ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ପାଇଁ କୃତଜ୍ଞତା ଜଣାଉଛି। ମାଆ ଭଉଣୀମାନେ ସ୍ପଷ୍ଟ ମତ ଦେଇ ନୂଆ ଭାରତ ଜନକଲ୍ୟାଣ, ଜନଭାଗିଦାରୀ, ସ୍ବଚ୍ଛ ଶାସନ ଓ ପ୍ରଗତିଶୀଳ ରାଜନୀତିକୁ ସମର୍ଥନ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେହିଭଳି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏହି ବିପୁଳ ବିଜୟ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, ଦକ୍ଷ ନେତୃତ୍ବ, ଦଳୀୟ ଅଧ୍ୟକ୍ଷଙ୍କ ପ୍ରଭାବଶାଳୀ ସଂଗଠନାତ୍ମକ ନେତୃତ୍ବ ଦଳୀୟ କର୍ମୀଙ୍କ ପରିଶ୍ରମ ବୋଲି କହିଛନ୍ତି ।
ଏହାବାଦ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଦଳୀୟ ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ, ମହିଳା ନେତ୍ରୀ ସର୍ବୋପରି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
@ANI