ଚଣ୍ଡିଗଡ: ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ସମୃଦ୍ଧ ଇତିହାସ ପୃଷ୍ଠା ମଣ୍ଡନ କରୁଥିବା ଅମୃତସର ଜାଲିଆନାୱାଲାବାଗ ପାଇଁ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏଣିକି ସେଠାରେ ଐତିହାସିକ ଶହୀଦ କୂଅରେ ଫିଙ୍ଗା ଯାଇପାରିବ ନାହିଁ ମୁଦ୍ରା । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ଦେଶ ନୁହେଁ ବରଂ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏହି ଜାତୀୟ ସ୍ମାରକୀକୁ ପରିଦର୍ଶନ କରିବାକୁ ଆସିଥାନ୍ତି ।
ତେବେ ଜାଲିଆନାୱାଲାବାଗ ଗୁଳିକାଣ୍ଡରେ ପ୍ରାଣବଳୀ ଦେଇଥିବା ଶହୀଦଙ୍କ ସମ୍ମାନାର୍ଥେ ପରିସରରେ ଥିବା ଏହି ଐତିହାସିକ ଶହୀଦ କୂପରେ ମୁଦ୍ରା ଫିଙ୍ଗିବାର ପରମ୍ପରା ମଧ୍ୟ ରହିଥିଲା । ତେବେ ଭାରତ ସରକାରଙ୍କ ପକ୍ଷରୁ ଏନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ସରକାରୀ କଟକଣା ନେଇ ସାଧାରଣରେ ଅବଗତି ପାଇଁ ଉକ୍ତ କୂଅ ନିକଟରେ ଏକ ସୂଚନା ଫଳକ ମଧ୍ୟ ଲଗାଯାଇଛି ।