ନୂଆଦିଲ୍ଲୀ/ଚଣ୍ଡିଗଡ:ହରିୟାଣାରେ ସୂର୍ଯ୍ୟମୁଖୀ ଫସଲରେ ଏମଏସପି ବୃଦ୍ଧି ଦାବିରେ ଜାରି ରହିଥିବା କୃଷକ ଆନ୍ଦୋଳନ ଶେଷ ହୋଇଛି । ସରକାର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ସହମତି ପ୍ରକାଶ କରିବା ପରେ ଚାଷୀମାନେ ଆନ୍ଦୋଳନ ଶେଷ କରିଛନ୍ତି । ଆଜି (ମଙ୍ଗଳବାର) ସନ୍ଧ୍ୟାରେ ସରକାରଙ୍କ ସହ ଚାଷୀ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛି ଚାଷୀ ସଂଗଠନ ।
ସରକାରଙ୍କ ସହ ଆଲୋଚନା ପରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ‘‘ସରକାର ଆମର ଦାବି ଗ୍ରହଣ କରିଛନ୍ତି । ଆଲୋଚନା ସଫଳ ହେବା ପରେ ଜାରି ରହିଥିିବା ଧର୍ମଘଟକୁ ବନ୍ଦ କରାଯିବାକୁ ଆମେ ସ୍ଥିର କରିଛୁ । ଆମ ଦାବି ଅନୁସାରେ ଚାଷୀଙ୍କ ବିରୋଧରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ମାମଲା ମଧ୍ୟ ପ୍ରତ୍ୟାହାର କରାଯିବ । ଏନେଇ ସରକାର ଆମକୁ ପ୍ରତିଶୃତି ଦେବା ପରେ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ଗ୍ରହଣ କରୁଛୁ ।’’
ଚାଷୀଙ୍କ ଦାବି କ’ଣ ଥିଲା ?
ହରିୟାଣାର କୃଷକମାନେ ସୂର୍ଯ୍ୟମୁଖୀ ଫସଲ କ୍ରୟରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବା ଦାବିରେ ଚଣ୍ଡିଗଡ ଦିଲ୍ଲୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ଅନ୍ୟାନ୍ୟ ପଡୋଶୀ ରାଜ୍ୟର କୃଷକ ନେତାମାନେ ଏହି ମହାପଞ୍ଚାୟତରେ ଏକାଠି ହୋଇଥିଲେ । ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ସେମାନେ ଧାରଣା ପ୍ରତ୍ୟାହାର କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏବେ ରାଜ୍ୟରେ ସୂର୍ଯ୍ୟମୁଖୀ ଫସଲ କ୍ବିଣ୍ଟାଲ ପିଚ୍ଛା 1,000 ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା 6,400 ଟଙ୍କା ଏମଏସପିରେ ସୂର୍ଯ୍ୟମୁଖୀ କିଣିବାକୁ ସେମାନେ ଦାବି କରୁଛନ୍ତି । ଆଜି ସଂଧ୍ୟାରେ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।
ବର୍ଷ 2021 ରେ ସରକାର ଆଣିଥିବା ବିବାଦୀୟ କୃଷି ଆଇନକୁ ଜୋରଦାର ବିରୋଧ କରାଯାଇଥିଲା । ହରିୟାଣା ଓ ପଞ୍ଜାବରେ ଏହି ଆନ୍ଦୋଳନର ସର୍ବାଧିକ ପ୍ରଭାବ ପଡିଥିଲା । ପ୍ରାୟ 1 ବର୍ଷ ଧରି ଏହି ଆନ୍ଦୋଳନ ଜାରି ରହିଥିଲା । ଆରମ୍ଭରୁ ଆଇନ ପ୍ରତ୍ୟାହାର ନେଇ ଦାବି ହୋଇଥିଲେ ସୁଦ୍ଧା ସରକାରଙ୍କ ସହ ଚାଷୀ ସଂଗଠନ ସହ ଏକାଧିକ ପର୍ଯ୍ୟାୟରେ ମଧ୍ୟ କୌଣସି ସୁଫଳ ମଧ୍ୟ ମିଳନଥିଲା । ହେଲେ ପରେ ଚାଷୀ ସଂଗଠନ ସେମାନଙ୍କ ଆନ୍ଦୋଳନ ସମାପ୍ତ କରିବା ସହ ସରକାର ମଧ୍ୟ ଏହି ଆଇନକୁ ପ୍ରତ୍ୟାହାର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ