ବିଶାଖାପାଟନମ:ବାପାଙ୍କ ଆକାଉଣ୍ଟରୁ 80 ହଜାର ଟଙ୍କାର ଅନଲାଇନ ସପିଂ କଲେ ଝିଅ । ଭୁଲକୁ ସଂଶୋଧନ କରିବାକୁ ଯାଇ ଅନଲାଇନରେ କିଡ଼ନୀ ବିକ୍ରି କରି ଟଙ୍କା ଆଣିବାକୁ ଉଦ୍ୟମ କଲେ । ଅନଲାଇନରେ କିଡ଼ନୀ ବିକ୍ରି ପଡ଼ିଲା ମହଙ୍ଗା । ସାଇବର ଠକାମିର ଶିକାର ହୋଇ ବାପାଙ୍କ ଆକାଉଣ୍ଟରୁ ଚାଲିଗଲା 16 ଲକ୍ଷ ଟଙ୍କା । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗୁଣ୍ଟୁର ଜିଲ୍ଲାର ଜଣେ ଯୁବତୀ ହାଇଦ୍ରାବାଦରେ ନର୍ସିଂ ପାଠ ପଢୁଛନ୍ତି । ଅନଲାଇନ କ୍ଲାସ ପାଇଁ ତାଙ୍କ ବାପା ନିଜ ମୋବାଇଲ ଝିଅଙ୍କୁ ଦେଇଥିଲେ । ମୋବାଇଲ ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବାରୁ ସେ ବାପାଙ୍କ ଅଜ୍ଞାତରେ ପୋଷାକ ଏବଂ ଘଣ୍ଟା କିଣି 80 ହଜାର ଟଙ୍କା ଖର୍ଚ୍ଚ କରିଦେଲେ । ବାପା ଜାଣିବା ପୂର୍ବରୁ ଟଙ୍କା ଫେରସ୍ତ କରିବା ପାଇଁ ଯୁବତୀ ଜଣଙ୍କ ଚିନ୍ତା କରିଥିଲେ । ଏନେଇ ନିଜ ବନ୍ଧୁଙ୍କୁ ଜଣାଇବା ପରେ ଅନଲାଇନରେ କିଡ଼ନୀ ବିକ୍ରି କରି ଟଙ୍କା ଆଣିବାକୁ ମନସ୍ଥ କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି କିଡ଼ନୀ ଆବଶ୍ୟକ ଥିବା କହିଥିଲେ । ଏହା ବଦଳରେ 7 କୋଟି ମିଳିବ । ଏଥିରେ ପ୍ରବୀଣରାଜ ନାମକ ଜଣେ ଡାକ୍ତରଙ୍କ, ନାମ, ଫଟୋ ଓ ଠିକଣା ରହିଥିଲା ।
ଯୁବତୀ ଜଣକ ତାଙ୍କ ସହ ଯୋଗାଯୋଗ କଲେ । ପ୍ରଥମ କିସ୍ତିରେ 3.50 କୋଟି ଟଙ୍କା ମିଳିବ ଏବଂ ଅପରେସନ ପରେ ବଳକା ଟଙ୍କା ମିଳିବ ବୋଲି ସେ କହିଥିଲେ । ଏଥିରେ ଯୁବତୀ ଜଣକ ରାଜି ହୋଇ ସବିଶେଷ ତଥ୍ୟ ଦେଇ ଡାକ୍ତରୀ ପରୀକ୍ଷା କରାଇଲେ । ତାଙ୍କ ନିଜ ଆକାଉଣ୍ଟ ନଥିବାରୁ ବାପାଙ୍କ ବ୍ୟାଙ୍କ ବିବରଣୀ ଦେଇଥିଲେ । କିନ୍ତୁ କୌଣସି ଟଙ୍କା ଆସିନଥିବା ଯୁବତୀ ଜଣକ ଅଭିଯୋଗ କଲେ ।
ଟଙ୍କା ନେଇ ପଚାରିବାରୁ ଡଲାରରୁ ଭାରତୀୟ ମୁଦ୍ରାକୁ ପରିଣତ କରିବା ପାଇଁ ଟାକ୍ସ ଦେବାକୁ ପଡ଼ିବ । ତେଣୁ 15 ହଜାର ଟଙ୍କା ଡିପୋଜିଟ କରିବାକୁ ପଡ଼ିବ । କିନ୍ତୁ ଟଙ୍କା ଆସିନଥିଲା । ଏହିଭଳି ଭାବେ ବାପାଙ୍କ ଆକାଉଣ୍ଟରୁ 16 ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତିକୁ ଦେଇଥିଲେ । ଏହାପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ପରିଶେଷରେ ବାପାଙ୍କ ଭୟରେ ଯୁବତୀ ଜଣକ ଘର ଛାଡ଼ି ପଳାଇଥିଲେ । ଝିଅ ନିଖୋଜ ହେବାନେଇ ବାପା ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏନଟିଆର ଜିଲ୍ଲାର କାଞ୍ଚିକାଚାରଲରେ ନିଜ ବନ୍ଧୁ ଘରୁ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ପରିବାର ସଦସ୍ୟ ଝିଅକୁ ପଚାରିବାରୁ ସତ୍ୟତା ସାମ୍ନାକୁ ଆସିଥିଲା । ଏହି ଘଟଣା ନେଇ ପୀଡ଼ିତାଙ୍କ ପରିବାର ଗୁଣ୍ଟୁର ଜିଲ୍ଲା ପଟ୍ଟାବିପୁରମ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ସାଇବର ଅପରାଧ ବିଭାଗକୁ ହସ୍ତାନ୍ତର କରିଛି ।