ଡେରାଡୁନ:ଶେଷ ହେବାକୁ ଯାଉଛି ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା । 2023 ବର୍ଷ ପାଇଁ ଚାରିଧାମ ଯାତ୍ରା ଦ୍ବାର ବନ୍ଦ ହେବାକୁ ଯାଉଛି । ପୂର୍ବରୁ ଚାରିଧାମ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଥିଲା । ପ୍ରଥମେ ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ ହେବ । ଏହାର ଦିନକ ପରେ ଯମୁନୋତ୍ରୀ ଧାମର ଦ୍ବାର ବନ୍ଦ ହେବ । ଏହାପରେ ଭାଇଦୁଜ ପର୍ବ ଅବସରରେ ବାବା କେଦାରନାଥଙ୍କ ଧାମର କପାଟ ବନ୍ଦ ହେବ । ସର୍ବଶେଷରେ ବନ୍ଦ ହେବ ବଦ୍ରିନାଥ ଧାମର ଦ୍ବାର ।
ତେବେ ଚାରିଧାମ ମଧ୍ୟରୁ ସର୍ବପ୍ରଥମେ ନଭେମ୍ବର 14ରେ ଅର୍ଥାତ ଆଜି(ମଙ୍ଗଳବାର) ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ କରାଯିବ । ଅନ୍ନକୁଟ ଅବସରରେ ଆଜି ପୂର୍ବାହ୍ନ 11 ଟା 45 ମିନିଟରେ ବନ୍ଦ ହେବ ଗଙ୍ଗୋତ୍ରୀ ଦ୍ବାର । ଏହି ସମୟରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯିବ । ଏହାପରେ ମାଆ ଗଙ୍ଗାଙ୍କ ରଥ ଶୀତଦିନ ପାଇଁ ମୁଖବା ଗାଁରେ ଥିବା ମାଆ ଗଙ୍ଗାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିବ । ଏହି ଦିନ ରାତିରେ ଦ୍ବାର ବନ୍ଦ ହେବା ପରେ 6 ମାସ ପର୍ଯ୍ୟନ୍ତ ମାଆ ଗଙ୍ଗା ମୁଖବା ଗାଁ ଠାରେ ଥିବା ମନ୍ଦିରରେ ଦର୍ଶନ ଦେବେ ।
ଏହା ମଧ୍ୟ ପଢ଼ନ୍ତୁ....ଯୋଶିମାଠ-ବଦ୍ରିନାଥ ରାଜପଥରେ ୧୦ରୁ ଉର୍ଦ୍ଧ୍ବ ଫାଟ, ଚିନ୍ତାରେ ଚାରି ଧାମ ଯାତ୍ରା ପାଇଁ ପ୍ରସ୍ତୁତ ଭକ୍ତ