ଓଡିଶା

odisha

By

Published : Oct 27, 2021, 6:49 PM IST

ETV Bharat / bharat

ଆରପାରିରେ ଗାନ୍ଧୀବାଦୀ ନେତା ସୁବାରାଓ, ଚମ୍ବଲକୁ କରିଥିଲେ ଡକାୟତମୁକ୍ତ

ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ବରିଷ୍ଠ ସାମାଜିକ କର୍ମୀ ଡ.ଏସଏନ ସୁବାରାଓ ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜସ୍ଥାନର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ...

ଆଉ ନାହାନ୍ତି ବିଶିଷ୍ଟ ସାମାଜିକ କର୍ମୀ ଡ.ଏସ ଏନ ସୁବାରାଓ
ଆଉ ନାହାନ୍ତି ବିଶିଷ୍ଟ ସାମାଜିକ କର୍ମୀ ଡ.ଏସ ଏନ ସୁବାରାଓ

ଜୟପୁର:ପରଲୋକରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ବରିଷ୍ଠ ସାମାଜିକ କର୍ମୀ ଡ. ଏସଏନ ସୁବାରାଓ । ଦୀର୍ଘଦିନର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ସେ ଆଜି ରାଜସ୍ଥାନର ଜୟପୁରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ଆଉ ନାହାନ୍ତି ବିଶିଷ୍ଟ ସାମାଜିକ କର୍ମୀ ଡ.ଏସ ଏନ ସୁବାରାଓ, ୯୨ ବର୍ଷ ବୟସରେ ପରଲୋକ

ସମଗ୍ର ଦେଶର ‘ଶ୍ରମଦାନ’ ଅଭିଯାନର ପୁରୋଧା ସାଜିଥିବା ଡ.ସୁବାରାଓ ସାମାଜିକ କାର୍ଯ୍ୟ ପାଇଁ ଯୁବଶକ୍ତିକୁ ସଂଗଠିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନର ଯୁବପିଢିରେ ସମାଜ ପ୍ରତି ପ୍ରତିବଦ୍ଧତା ଓ ଉତ୍ତରଦାୟିତ୍ବ ସୃଷ୍ଟି କରିବାରେ ପୁରୋଧା ସାଜିଥିବା ସୁବାରାଓ ଭାଇଜୀ ନାମରେ ବେଶ ପରିଚିତ ହୋଇଥିଲେ। ତାଙ୍କ ନେତୃତ୍ବରେ ଶ୍ରମଦାନ ଅଭିଯାନରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କିଛି ଦିନ ପୂର୍ବରୁ ହସ୍ପିଟାଲରେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଢିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ

ପ୍ରାରମ୍ଭିକ ଜୀବନ

1929 ଫେବୃଆରୀରେ କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିଲେ ସୁବାରାଓ । ନିଜର ସ୍କୁଲ ଶିକ୍ଷା ସମୟରେ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାତ୍ର 13 ବର୍ଷ ବୟସରେ ‘ଭାରତଛାଡ ଆନ୍ଦୋଳନ’ ରେ ଅଂଶ ଗ୍ରହଣ କରି ଜେଲ ଯାଇଥିଲେ । ଦେଶ ସ୍ବାଧୀନ ହେବାପରେ ସେ ସାମାଜିକ ଅବସ୍ଥା ଓ ସୁଧାର ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ସହ ସକ୍ରିୟ ଭାବେ ଯୋଡି ହୋଇଥିଲେ । ପରେ ୧୯୫୧ ମସିହାରେ ‘କଂଗ୍ରେସ ସେବା ଦଳ’ରେ ଯୋଗ ଦେଇ ସକ୍ରିୟ ସମାଜସେବାକୁ ଆଜୀବନ ବ୍ରତ କରିଥିଲେ ।

ସାମାଜିକ କାର୍ଯ୍ୟରେ ଅବଦାନ

ଜବାହରଲାଲ ନେହେରୁ ଏବଂ କେ.କାମରାଜଙ୍କ ପରି ବିଶିଷ୍ଟ ରାଜନେତାଙ୍କ ଜୀବନୀରେ ବେଶ ଅନୁପ୍ରାଣିତ ଥିବା ସୁବାରାଓ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ମହାତ୍ମା ଗାନ୍ଧୀ ସେବା ଆଶ୍ରମ ସ୍ଥାପନ କରି ଚମ୍ବଲରେ ଅପରାଧ କରୁଥିବା ଦସ୍ୟୁମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ଅନେକ ଅଭ୍ୟାସଗତ ତଥା କୁଖ୍ୟାତ ଅପରାଧୀ ଆତ୍ମସମର୍ପଣ କରିବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇଥିଲ । ଏହା ସୁବାରାଓଙ୍କ ଏକ ଐତିହାସିକ ସଫଳତା ଭାବେ ସାରା ଦେଶରେ ତାଙ୍କୁ ପରିଚୟ ଦେଇଥିଲା ।

୧୯୭୦ରେ ଦେଶ ଗାନ୍ଧୀଜୀଙ୍କ ଜନ୍ମର ଶତବାର୍ଷୀକୀ ପାଳନ ଅବସରରେ ସରକାର ଆରମ୍ଭ କରିଥିବା ‘ଗାନ୍ଧୀ ଦର୍ଶନ ରେଳ’ ଅଭିଯାନରେ ନିର୍ଦ୍ଦେଶକ ଭାବେ ତାଙ୍କୁ ଦାୟିତ୍ବ ଦେଇଥିଲେ କେନ୍ଦ୍ର ସରକାର । ଏହାସହ ସାରା ଦେଶରେ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ଓ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଯାଇଥିଲା । ସେ ଅଭିଯାନର ନେତୃତ୍ବ ନେଇ ସରକାରଙ୍କ ଭିଜନକୁ ସଫଳ କରିଥିଲେ ।

ପରବର୍ତ୍ତୀ ସମୟରେ ଯୁବକମାନଙ୍କୁ ସଗଂଠିତ କରି ସାମାଜିକ ସମସ୍ୟାର ସମାଧାନ ପାଇଁ ସେ ଆରମ୍ଭ କରିଥିଲେ ‘ଶ୍ରମଦାନ’ ଅଭିଯାନ । ଏହି ଅଭିଯାନରେ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଥିବାବେଳେ ଯୁବକମାନେ ଏହି ଅଭିଯାନରେ ସ୍ବେଚ୍ଛାକୃତ ଭାବେ ଯୋଗ ଦେଇଥିଲେ ।

ସମ୍ମାନ

ଦେଶ ଓ ସମାଜ ପ୍ରତି ଆଜବୀନ ଅବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିବାବେଳେ ଅନ୍ୟ କେତେକ ସମ୍ମାନଜନକ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ ସେ । ନ୍ୟାସନାଲ ୟୁଥ ଆଓ୍ବାର୍ଡ, ଭାରତୀୟ ଏକତା ପୁରସ୍କାର, ଆନ୍ତର୍ଜାତୀୟ ଶାନ୍ତିଦୂତ ଆଓ୍ବାର୍ଡ, ରାଜୀବ ଗାନ୍ଧୀ ଜାତୀୟ ସଦଭାବନା ଆଓ୍ବାର୍ଡ, ମହାତ୍ମା ଗାନ୍ଧୀ ପୁରସ୍କାର ସମେତ ବିଭିନ୍ନ ପ୍ରାଦେଶିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରମୁଖ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ତେବେ ଦୀର୍ଘଦନର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଆଖି ବୁଜିଛନ୍ତି ସୁବାରାଓ । ତାଙ୍କ ବିୟୋଗରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details