ଚଣ୍ଡିଗଡ:ହରିୟାଣାର ଗୁରୁଗ୍ରାମରେ ହେବାକୁ ଥିବା ଜି-20 ସମ୍ମିଳନୀର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି । ହେଲେ କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ଫୁଲକୁଣ୍ଡକୁ ଏକ ଏସୟୁଭି କାରରେ ଦୁଇଜଣ ବ୍ୟକ୍ତି ଚୋରି କରିନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ରାତି ନୁହେଁ ବରଂ ସ୍ପଷ୍ଟ ଦିବାଲୋକରେ ରାସ୍ତାକଡରେ ନିଜର ଦାମୀ ଏସୟୁଭି କାରକୁ ଛିଡା କରି ଡୋର ଖୋଲି ଫୁଲକୁଣ୍ଡକୁ ବୋହିବାରେ ଲାଗିଛନ୍ତି ଏହି ଦୁଇ ବ୍ୟକ୍ତି । କୌଣସି କାର୍ଯ୍ୟାନୁଷ୍ଠାନର ଚିନ୍ତା ମଧ୍ୟ ନହିଁ, ସମ୍ପୂର୍ଣ୍ଣ ବେଫିକର ଭାବେ ନିଜ ଗାଡିରେ ଯେତେ ସମ୍ଭବ ସେତେ ବାଛି ବାଛି ଲଦି ଚାଲିଛନ୍ତି ଫୁଲକୁଣ୍ଡ । ଏପରି କିଛି ଭିଡିଓ ଗତକାଲି ଠାରୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ତେବେ ଭିଡିଓ ଭାଇରାଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିନାହାନ୍ତି ଅଭିଯୁକ୍ତ । ଭିଡିଓ ଆଧାରରେ ଫୁଲଗଛ ଚୋରି ହୋଇଥିବା କାରକୁ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ 50 ବର୍ଷୀୟ ମନମୋହନ ବୋଲି ଜଣାପଡିଛି । ଚୋରି ହୋଇଥିବା ଫୁଲକୁଣ୍ଡଗୁଡିକୁ ମଧ୍ୟ ଜବତ କରାଯାଇଛି । ଭିଡିଓରେ ସମସ୍ତ ଘଟଣା କଏଦ ହୋଇଥିବା ବେଳେ ଏଥିରେ ଦୁଇ ଜଣ ବ୍ୟକ୍ତି ସାମିଲ ଥିବା ଦେଖିବାକୁ ମିଳିଥିଲା । ଏଥିରେ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି ।