ଓଡିଶା

odisha

ETV Bharat / bharat

Fresh unrest in Manipur: ଇମ୍ଫାଲରେ ଏକାଧିକ ଘର ଜାଳିଦେଲେ ଦଙ୍ଗାକାରୀ, ପୋଲିସଠୁ ଲୁଟିନେଲେ ଅସ୍ତ୍ର - ଇମ୍ଫାଲରେ ପୁଣି ହିଂସା

ଇମ୍ଫାଲ-ପୂର୍ବ ଜିଲ୍ଲାରେ ଦଙ୍ଗାକାରୀ ଜାଳିଦେଲେ ଏକାଧିକ ଘର । ପୋଲିସଠାରୁ ଅସ୍ତ୍ର ଲୁଟ ହୋଇଥିବା ମଧ୍ୟ ସୂଚନା । 29 ରୁ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଅଧିକ ପଢନ୍ତୁ

Fresh unrest in Manipur: ଇମ୍ଫାଲରେ ଘର ଜାଳିଦେଲେ ଦଙ୍ଗାକାରୀ, ପୋଲିସଠୁ ଲୁଟିନେଲେ ଅସ୍ତ୍ର
Fresh unrest in Manipur: ଇମ୍ଫାଲରେ ଘର ଜାଳିଦେଲେ ଦଙ୍ଗାକାରୀ, ପୋଲିସଠୁ ଲୁଟିନେଲେ ଅସ୍ତ୍ର

By ETV Bharat Odisha Team

Published : Aug 27, 2023, 9:24 PM IST

ଇମ୍ଫାଲ: ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ମଣିପୁର । ବିଧାନସଭା ଅଧିବେଶନ ଆରମ୍ଭ ହେବାର ମାତ୍ର 2 ଦିନ ପୂର୍ବରୁ ଆଜି(ରବିବାର) ଇମ୍ଫାଲ-ପୂର୍ବ ଜିଲ୍ଲାରେ ହିଂସା ଦେଖିବାକୁ ମିଳିଛି । ଦଙ୍ଗାକାରୀଙ୍କ ଏକ ଗୋଷ୍ଠୀ ଏକାଧିକ ଘରେ ନିଆଁ ଲଗାଇ ଦେଇଥିବା ବେଳେ ପୋଲିସଠାରୁ ମଧ୍ୟ ଅସ୍ତ୍ର ଲୁଟି ନେଇଥିବା ସୂଚନା ମିଳିଛି ।

ଆଜି(ରବିବାର) ଅପରାହ୍ନରେ ନ୍ୟୁ-ଲମ୍ବୁଲାନ୍ସରେ ଦଙ୍ଗାକାରୀଙ୍କ ଏକ ଗୋଷ୍ଠୀ ପ୍ରାୟ 5ଟି ଘରେ ନିଆଁ ଲଗାଇ ଦେଇଛନ୍ତି । କେହି ମୃତାହତ ହୋଇଥିବାର ସୂଚନା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇପାରିନି । ଏବେ ରାଜଧାନୀ ଇମ୍ଫାଲ ଓ ସଂଲଗ୍ନ ଭ୍ୟାଲି ଅଞ୍ଚଳର ବିଭିନ୍ନ ଏଣ୍ଟ୍ରିଂ ପଏଣ୍ଟରେ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ତେଣୁ ଏହି ଦଙ୍ଗାକାରୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଦଙ୍ଗାକାରୀଙ୍କ ଏକ ଗୋଷ୍ଠୀ ଏକାଧିକ ଘରେ ଜଳାପୋଡ଼ା କରିଥିଲା । ସୂଚନା ପାଇଁ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ଲୁହବୁହା ଗ୍ୟାସ ମାଡ଼ କରିଥିଲା । ଦଙ୍ଗାକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ଆଜି ହିଂସାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡିନାହିଁ । ତେବେ ଏହି ନ୍ୟୁ-ଲମ୍ବୁଲାନ୍ସ ଅଞ୍ଚଳରେ ଏକାଧିକ ସମ୍ପ୍ରଦାୟର ଉପସ୍ଥିତି ରହିଛି । ତେଣୁ କୌଣସି ସମ୍ପ୍ରଦାୟ ମଧ୍ୟରେ ତିକ୍ତତାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି ।

ଅଗଷ୍ଟ 29 ତାରିଖରେ ଇମ୍ଫାଲରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ସହରର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତଥାପି ଆଜି ବ୍ୟାପକ ସୁରକ୍ଷା ସତ୍ତ୍ବେ ଦଙ୍ଗାକାରୀମାନେ ହିଂସା ଭିଆଇଛନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସିଆରପିଏଫ୍‌, ଏସଏସବି ଓ ଆସାମ ରାଇଫଲ୍ସ ସହ ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି । କିଛି ଦିନ ହେବ ହିଂସା ଥମିଥିଲା । ପୂର୍ବ ହିଂସା ମାମଲାର ତଦନ୍ତ ମଧ୍ୟ ଏସଆଇଟି ଦ୍ବାରା ଜାରି ରହିଛି । ଯାହାର ପ୍ରତ୍ୟେକ୍ଷ ତତ୍ବାବଧାନ ସର୍ବୋଚ୍ଚ କୋର୍ଟ କରୁଛନ୍ତି । ସ୍ଥିତିରେ ସୁଧାର ଆସିଥିବାରୁ 29 ରେ ବିଧାନସଭା ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହାରି ମଧ୍ୟରେ ଆଜିର ହିଂସା ପୁଣି ସୁରକ୍ଷା ବ୍ୟବସ୍ଥା ପ୍ରତି ସତର୍କ ଘଣ୍ଟି ବଜାଇଛି ।

ଏହା ମଧ୍ୟ ପଢନ୍ତୁ:-Manipur violence: ମଣିପୁର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ମୁଖ୍ୟଙ୍କୁ ଦିଲ୍ଲୀ ଡାକିଲେ ଶାହ

ମେ’ 3 ତାରିଖରୁ ରାଜ୍ୟରେ ଦେଖାଯାଇଥିବା ଜାତିଗତ ହିଂସାରେ ଏବେ ସୁଦ୍ଧା ପ୍ରାୟ 160 ଜଣଙ୍କ ପ୍ରାଣହାନୀ ଘଟିଛି । ହେଲେ ଗତମାସ 2 ଯୁବତୀଙ୍କୁ ସଂଘବଦ୍ଧ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସ୍ଥିତି ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ସର୍ବୋଚ୍ଚ କୋର୍ଟଙ୍କ ଅସନ୍ତୋଷ ବ୍ୟକ୍ତ ପରେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୋର୍ଟଙ୍କୁ ଅବଗତ କରିଥିଲେ । ଏହି ମାମଲାରେ ସର୍ବୋଚ୍ଚ କୋର୍ଟରେ ନିୟମିତ ଶୁଣାଣି ମଧ୍ୟ ଜାରି ରହିଛି । ହେଲେ ମାତ୍ର କିଛି ଦିନର ନିରବତା ପରେ ଏବେ ପୁଣି ନୂଆ ହିଂସା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details