ଚେନ୍ନାଇ:ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟ ନେଇ ସାରା ଦେଶରେ ବିବାଦ ଜାରି ରହିଥିବା ବେଳେ ଏହି ସମ୍ପର୍କିତ ଏକ ବଡ ଟିପ୍ପଣୀ ପ୍ରକାଶ କରିଛନ୍ତି ମାଡ୍ରାସ ହାଇକୋର୍ଟ । ସମ୍ବିଧାନ ଅଧିକାର ବଳରେ ମିଳିଥିବା ମୁକ୍ତ ବକ୍ତବ୍ୟ ଅର୍ଥ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେବା ନୁହେଁ ବୋଲି କୋର୍ଟ କହିଛନ୍ତି । ସମସ୍ତ ଧର୍ମ ଆସ୍ଥା ଉପରେ ଆଧାରିତ, ତେଣୁ ଧାର୍ମିକ ପ୍ରସଙ୍ଗରେ ମନ୍ତବ୍ୟ ଦେବା ବେଳେ ଏହା କୌଣସି ସମ୍ପ୍ରଦାୟକୁ ଯେପରି ଆଘାତ ନଦିଏ, ସେଥିପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଥିବା କୋର୍ଟ କହିଛନ୍ତି ।
କୋର୍ଟ କହିଛନ୍ତି ସନାତନ ଧର୍ମ ଏକ ଶାଶ୍ବତ କର୍ତ୍ତବ୍ୟର ଏକ ସମୂହ ପରି । ଏଥିରେ ଏକାଧିକ ନୈତିକ ଧାରା ରହିଛି । ଯେଉଁଥିରେ ରାଷ୍ଟ୍ର, ରାଜା, ପିତା-ମାତା, ଗୁରୁଜନଙ୍କ ପ୍ରତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସହ ଗରିବଙ୍କ ପ୍ରତି ଉଦାରତା ମଧ୍ୟ ସାମିଲ ରହିଛି । ହେଲେ ଜାତିବାଦ ପ୍ରଥା ଗ୍ରହଣୀୟ ନୁହେଁ । ଏହାକୁ ସମ୍ବିଧାନର ଅନୁଚ୍ଛେଦ 17 ରେ ବାରଣ କରାଯାଇଛି । ଏବେ ଏହି ପ୍ରକାର ଏକ ସ୍ଥିତି ସୃଷ୍ଟି କରାଯାଇଛି ଯେ, ସନାତନ ଧର୍ମ ଏକ ଜାତିବାଦ ଆଧାରିତ ଧର୍ମ ବୋଲି ମଧ୍ୟ ଏକ ସାମାଜିକ ଧାରଣା ସୃଷ୍ଟି ହେବାରେ ଲାଗିଲାଣି । ଯାହା ଉଚିତ ନୁହେଁ ।