ନୂଆଦିଲ୍ଲୀ: ଚୀନ ସମେତ ବିଶ୍ବର କିଛି ଦେଶରେ ପୁଣି ଥରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ଚୀନରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଚୀନର ସ୍ଥିତି ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ଗତକାଲିଠାରୁ କେନ୍ଦ୍ର ସରକାର କୋରୋନା ବିରୋଧର ପୁଣି ଥରେ ଆକ୍ସନ ଆରମ୍ଭ କରିଦେଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୂପ ସବୁ ରାଜ୍ୟକୁ ସତର୍କ କରିଥିବା ବେଳେ, ଆଜି ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦରରେ ରାଣ୍ଡମ ସାମ୍ପଲିଂ ଆରମ୍ଭ ହୋଇଛି ।
ଏହାବି ପଢନ୍ତୁ- Corona Virus BF.7 Variant: ଓଡିଶାରେ ଓମିକ୍ରନ ସବଭ୍ୟାରିଏଣ୍ଟ ଚିହ୍ନଟ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry)ର ସୂଚନା ଅନୁସାରେ କର୍ଣ୍ଣାଟକ ସରକାର ବେଙ୍ଗାଲୁରୁ ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଯାଞ୍ଚ ଆରମ୍ଭ କରିବେ । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ସମ୍ପ୍ରତି ବିଶ୍ବର ସ୍ଥିତି ଦେଖି ଆମେ କିଛି ବଡ଼ ପଦକ୍ଷେପ ନେବାକୁ ଯାଉଛୁ । ବେଙ୍ଗାଲୁରୁ କେମ୍ପେଗୌଡା ବିମାନ ବନ୍ଦରରୁ ପ୍ରତିଦିନ ହଜାରହଜାର ଯାତ୍ରୀ ଅନ୍ତର୍ଜାତୀୟ ଯାତ୍ରା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମେ ତୁରନ୍ତ ପଦକ୍ଷେପ ନେବାକୁ ଯାଉଛୁ ବୋଲି କହିଛନ୍ତି । ସେହିପରି ଦେଶର ଅନ୍ୟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଆଜିଠାରୁ ତୁରନ୍ତ ରାଣ୍ଡମ ସାମ୍ପଲିଂ ଆରମ୍ଭ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନୂଆ ଗାଇଡଲାଇନ ମଧ୍ୟ ଜାରି ହୋଇଛି ।
ଅନ୍ୟପଟେ ସାମ୍ଭାବ୍ୟ ସଂକ୍ରମଣକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ପରେ ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡା. ଭିକେ ପଲ ( Dr V K Paul, Member-Health, Niti Aayog ) କହିଛନ୍ତି, ଯେଉଁମାନେ କୋଭିଡା ଟିକା ନେଇନାହାଁନ୍ତି ତୁରନ୍ତ ନିଅନ୍ତୁ । ଯେଉଁମାନେ ଉଭୟ ଡୋଜ ନେଇଛନ୍ତି ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଜନଗହଳି ସ୍ଥାନରୁ ଯଥା ସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଭିଡ ସ୍ଥାନ( ସାମାଜିକ, ରାଜନୈତିକ ) ସମାବେଶରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଛୋଟ ପିଲା, ବୃଦ୍ଧବୃଦ୍ଧାଙ୍କୁ ଭିଡ଼ ସ୍ଥାନକୁ ନନେବାକୁ ପରାମର୍ଶ ଦେଇଛନ୍ତି ।