ରାଞ୍ଚି: ଝାଡଖଣ୍ଡ ଜିଲ୍ଲା ଗୋଡ୍ଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଶରୀରରେ ମହିଳାଙ୍କ ପ୍ରଜନନ ଅଙ୍ଗ ଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ଯୁବକଙ୍କ ଅପରେସନ ସମୟରେ ତାଙ୍କ ପେଟରେ ୟୁଟ୍ରସ, ଗର୍ଭାଶୟ, ଫାଲୋପିଆନ ଟ୍ୟୁବ ରହିଥିବା ଜଣାପଡିଛି (Female reproductive parts inside male body) । ଯାହାକି ସାଧାରଣତଃ ମହିଳାଙ୍କ ଶରୀରରେ ଦେଖାଯାଏ । ଏହି ଘଟଣା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେତେକ ଲୋକ ସେହି ଯୁବକଙ୍କୁ ଅର୍ଦ୍ଧନାରୀଶ୍ବରଙ୍କ ସ୍ବରୂପ ମଧ୍ୟ କହୁଛନ୍ତି ।
ସୂଚନା ମୁତାବକ, କିଛି ଦିନ ହେବ ସମ୍ପୃକ୍ତ ଯୁବକଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହେଉଥିଲା । ସେଥିପାଇଁ ସେ ଗୋଡ୍ଡାର ଏକ ମେଡିକାଲକୁ ଆସିଥିଲେ । ଅଲଟ୍ରାସାଉଣ୍ଡ ପରେ ତାଙ୍କ ପେଟର ଡାହାଣ ପାର୍ଶ୍ବରେ ଛୋଟବେଳୁ ହାର୍ନିଆ ରହିଥିବା ଜଣାପଡିଥିଲା । ଏହାସହିତ ତାଙ୍କର ବାମ ପାର୍ଶ୍ବରେ ଅଣ୍ଡକୋଷ ନଥିବା ଡାକ୍ତର ଦେଖିବାକୁ ପାଇଥିଲେ । ଏହାପରେ ଡାକ୍ତର ଯୁବକଙ୍କୁ ହାର୍ନିଆ ଅପରେସନ କରିବାକୁ କହିଥିଲେ । ସେହି ହସ୍ପିଟାଲରେ ଯୁବକଙ୍କ ଅପରେସନ ହେଲା । ମାତ୍ର ଅପରେସନ ସମୟରେ ଯୁବକଙ୍କ ପେଟରେ ମହିଳା ପ୍ରଜନନ ଅଙ୍ଗ ଦେଖି ଡାକ୍ତରମାନେ ତାଜୁବ ହୋଇଯାଇଥିଲେ । ତାଙ୍କ ଶରୀରରେ ୟୁଟ୍ରସ, ଗର୍ଭାଶୟ ଓ ଫାଲୋପିଆନ ଟ୍ୟୁବ ଭଳି ପ୍ରଜନନ ଅଙ୍ଗ ରହିଥିଲା ।