ବେଙ୍ଗାଲୁରୁ:ହାତୀ ଆକ୍ରମଣରେ ଚାଲିଗଲା ଜଙ୍ଗଲ କର୍ମଚାରୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସୁନ୍ତିକୋପ୍ପା ଅନ୍ତର୍ଗତ କେଡାକାଲ ଗାଁ ନିକଟରେ । ଜମ୍ବୋ ବ୍ୟାକ ଟୁ ଫରେଷ୍ଟ ଅଭିଯାନ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ଜଣକ ଜଙ୍ଗଲ ବିଭାଗର ଏଲିଫ୍ୟାଣ୍ଟ ଟ୍ୟାକ୍ସ ଫୋର୍ସ କର୍ମଚାରୀ ଗିରିଶ (35) ହୋଇଥିବା ସୂଚନା ।
ତେବେ ସୂଚନା ଅନୁଯାୟୀ ପ୍ରଥମେ ହାତୀଟି 2 ଜଣଙ୍କୁ ଆକ୍ରମଣ କରିଥିଲା । ସୁନ୍ତିକୋପ୍ପା ଅଞ୍ଚଳର ମୁଗୁରେଶ ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ କେଡାକାଲ ଗାଁକୁ ଯାଉଥିବା ବେଳେ ହାତୀଟି ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ହାତୀଟି ନିକଟରେ ଥିବା ଏକ ବଗିଚାକୁ ଯାଇ ସେଠାରେ ମଧ୍ୟ ଆଉ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା ।
ତେବେ ଏନେଇ ସୂଚନା ପାଇବା ପରେ ଜଙ୍ଗଲ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ଓ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଅପରେସନ ଆରମ୍ଭ କରିଥିଲେ । 20 ଜଣିଆ ରାପିଡ ରେସପନ୍ସ ଟିମ ଏହି ଅପରେସନରେ ସାମିଲ ହୋଇ ହାତୀ ଘଉଡାଇବା ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ହାତୀଟି ଅତର୍କିତ ଭାବେ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ମାଡିକେରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି ।