ନୂଆଦିଲ୍ଲୀ:ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ସାକ୍ଷାତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ଉପରେ ପାଖାପାଖି ଘଣ୍ଟାଏ ଧରି ଚାଲିଥିଲା ଏହି ବୈଠକ ।
ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସିନିୟର ମିଲିଟାରୀ କମାଣ୍ଡର ସ୍ତରୀୟ ବୈଠକ ହେବା ନେଇ ସହମତି ପ୍ରକାଶ ପାଇଛି । ଜୟଶଙ୍କର ଓ ୱାଙ୍ଗ ୟିଙ୍କ ମଧ୍ୟରେ ଏହି ଆଲୋଚନା ସଂଘାଇ ସହଯୋଗ ସଂଗଠନ ବୈଦେଶିକମନ୍ତ୍ରୀଙ୍କ ବୈଠକ ସମୟରେ ହୋଇଛି ।
ବାସ୍ତବିକ ନିୟନ୍ତ୍ରଣ ରେଖା ବିଷୟ ଉପରେ ଏସ ଜୟଶଙ୍କର କହିଛନ୍ତି, ଦୁଶାନବେରେ ଏସସିଓ ବୈଦେଶିକ ମନ୍ତ୍ରୀ ବୈଠକବେଳେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା ହୋଇଥିଲା । ଏଲଏସି ପଶ୍ଚିମ କ୍ଷେତ୍ରର ପ୍ରସଙ୍ଗଗୁଡିକ ସହିତ ଏହି ଆଲୋଚନା ଜଡିତ ଥିଲା ।
ଲଦାଖ ସୀମା ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ଏସ ଜୟଶଙ୍କର କହିଛନ୍ତି ଯେ ସ୍ଥିତିରେ ଏକପାଖିଆ ପରିବର୍ତ୍ତନ ଗ୍ରହଣୀୟ ନୁହେଁ । ସମ୍ପର୍କର ବିକାଶ ପାଇଁ, ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସମନ୍ବୟ ରକ୍ଷା କରିବା ଆବଶ୍ୟକ ବୋଲି କହିଛନ୍ତି ଜୟଶଙ୍କର ।
ଗତ ବର୍ଷ ମେ ମାସରୁ ଏଲଏସିରେ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଲାଗିରହିଛି । ଜୁନ ମାସରେ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଏହି ଉତ୍ତେଜନାକୁ ଆହୁରି ବଢାଇଦେଇଥିଲା । ତେବେ ସାମରିକ ଏବଂ କୂଟନୈତିକ ସ୍ତରର ଆଲୋଚନା ପରେ ଉଭୟ ଦେଶର ସୈନିକମାନେ କେତେକ ସ୍ଥାନରୁ ସେମାନଙ୍କର ପୂର୍ବ ସ୍ଥାନକୁ ଫେରିଯାଇଛନ୍ତି । ତଥାପି ଏଲଏସି ସଂଲଗ୍ନ ଅନେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଶେଷ ହୋଇନାହିଁ ।