ବେଙ୍ଗାଲୁରୁ:ପ୍ରଥମ ଥର ପାଇଁ ବୟସ୍କ ଭୋଟରଙ୍କ ପାଇଁ ବଡ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି ନିର୍ବାଚନ କମିଶନ । ଏଣିକି 80 ବର୍ଷରୁ ଅଧିକ ବୟସ୍କ ଭୋଟରମାନେ ମତଦାନ କେନ୍ଦ୍ରକୁ ନଆସି ଘରେ ରହି ମଧ୍ଯ ଭୋଟ ଦେବାର ଅବସର ପାଇପାରିବେ । ଏନେଇ ନିର୍ବାଚନ ଆୟୋଗ ଏକ ନୂତନ ବ୍ୟବସ୍ଥା ଗ୍ରହଣ କରିଛି । କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ନିୟମ ପ୍ରଥମ କରି ଲାଗୁ ହେବାକୁ ଯାଉଛି । ଏଣିକି ବୟସାଧିକ ଭୋଟରମାନେ ଆଉ ମତଦାନ କେନ୍ଦ୍ରକୁ ଆସିବେ ନାହିଁ । କେବଳ ବୟସାଧିକ ନୁହନ୍ତି ବରଂ ଏହି ନୂଆ ବ୍ୟବସ୍ଥାରେ ଭିନ୍ନକ୍ଷମ ମତଦାତାମାନେ ମଧ୍ୟ ସାମିଲ ହୋଇ ଏହାର ଲାଭ ପାଇପାରିବେ ।
ନୂଆ ବ୍ୟବସ୍ଥା ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ସୂଚନା ଦେଇ କହିଛନ୍ତି, ‘‘ଏହି ନୂଆ ବ୍ୟବସ୍ଥା ନିର୍ବାଚନ ଆୟୋଗ କ୍ଷେତ୍ରରେ ମଧ୍ୟ ପ୍ରଥମ । ନିର୍ବାଚନ ଆୟୋଗଙ୍କ ଏକ ଟିମ କର୍ଣ୍ଣାଟକ ଯାଇ ଏହାର କାର୍ଯ୍ୟକାରିତା ଦିଗରେ କାର୍ଯ୍ୟପନ୍ଥା ସ୍ଥିର କରିବ । ପ୍ରଥମ ଥର ଆମେ 80 ବର୍ଷ ବୟସାଧିକ ଓ ଭିନ୍ନକ୍ଷମ ମତଦାତାଙ୍କୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ଯାଉଛୁ ।’’
ତେବେ ଆହୁରି ମଧ୍ୟ ସେ କହିଛନ୍ତି, ଯେଉଁ ବୟସାଧିକ ଭୋଟରମାନେ ମତଦାନ କେନ୍ଦ୍ର ଆସି ମତାଧିକାର ସାବ୍ୟସ୍ତ କରିବାକୁ ଇଚ୍ଛା ପ୍ରକାଶ କରିବେ ସେମାନେ ମତଦାନ କେନ୍ଦ୍ର ଆସି ପାରିବେ । ଯେଉଁମାନେ ଆସିବାରେ ଅନିଚ୍ଛା ପ୍ରକାଶ କରିବେ ବା ଅସମର୍ଥ ସେମାନେ ଏହି ବ୍ୟବସ୍ଥାର ଲାଭ ଉଠାଇ ଘରେ ରହି ଭୋଟ ଦେଇପାରିବେ । ସ୍ଥାନୀୟ ପ୍ରଶାସନ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବ ଓ ଭୋଟିଂର ବ୍ୟବସ୍ଥା କରିବ । ଘରେ ହେବାକୁଥିବା ଭୋଟିଂର ସମସ୍ତ ପ୍ରକ୍ରିୟା ଭିଡିଓ ରେକର୍ଡିଂ ହେବ । ସେହିପରି ମତଦାନ କେନ୍ଦ୍ର ପରି ଭୋଟ ସମ୍ପର୍କରେ ସମସ୍ତ ଗୋପନୀୟତା ବଜାୟ ରଖିବା ନେଇ ସ୍ଥାନୀୟ ପ୍ରଶାସନ ନିଶ୍ଚିତ କରିବ ।
ଏନେଇ ଆୟୋଗ ନିଷ୍ପତ୍ତି ନେଇଥିବା ବେଳେ ଏସମ୍ପର୍କରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ଆଲଚନା ମଧ୍ଯ ହେବ । ଭିନ୍ନକ୍ଷମଙ୍କ ପାଇଁ ‘ସକ୍ଷମ’ ନାମକ ଏକ ଆପ୍ଲିକେସନ ବିକଶିତ କରିବ ନିର୍ବାଚନ ଆୟୋଗ । ଏଥିରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ମତଦାତାମାନେ ନିଜ ସୂଚନା ଦେଇ ସେମାନଙ୍କ ମତଦାନ ରେଫରେନ୍ସ ସମ୍ପର୍କରେ ଆଗୁଆ ସୂଚନା ଦେଇପାରିବେ । ସେହି ଆଧାରରେ ସ୍ଥାନୀୟ ପ୍ରଶାସନ ସେମାନଙ୍କର ଘରେ ଭୋଟ (ଭୋଟିଂ ଫ୍ରମ ହୋମ) ଦେବାର ବ୍ୟବସ୍ଥା କରିବ । ଏହି ବ୍ୟବସ୍ଥା ସମଗ୍ର ଦେଶରେ କର୍ଣ୍ଣାଟକରେ ପ୍ରଥମ କରି ଲାଗୁ ହେବାକୁ ଯାଉଛି । ଏହାର ସଫଳ କାର୍ଯ୍ୟକାରିତା ପରେ ଆୟୋଗ ଏହାକୁ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଲାଗୁ କରିପାରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ