ଓଡିଶା

odisha

ETV Bharat / bharat

ବିଜେପି ପାଇଁ ମଣିପୁର ଭାରତର ଅଂଶ ବିଶେଷ ନୁହେଁ: ରାହୁଲ ଗାନ୍ଧୀ

Rahul Gandhi criticised PM Modi, BJP and RSS on Manipur Issue : ମଣିପୁରରେ ଇମ୍ଫାଲରୁ କଂଗ୍ରେସର 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଆରମ୍ଭ । ପ୍ରଧାନମନ୍ତ୍ରୀ ମୋଦି, ବିଜେପି - ଆରଏସଏସକୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଓ ସଂଘ ପାଇଁ ମଣିପୁର ଭାରତର ଅଂଶ ବିଶେଷ ନୁହଁ : ରାହୁଲ ଗାନ୍ଧୀ
ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଓ ସଂଘ ପାଇଁ ମଣିପୁର ଭାରତର ଅଂଶ ବିଶେଷ ନୁହଁ : ରାହୁଲ ଗାନ୍ଧୀ

By ETV Bharat Odisha Team

Published : Jan 14, 2024, 7:16 PM IST

ଇମ୍ଫାଲ:ଆଜି ଠାରୁ ଆରମ୍ଭ ହୋଇଛି କଂଗ୍ରେସର ବହୁ ଚର୍ଚ୍ଚିତ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' । ମଣିପୁରରେ ଇମ୍ଫାଲର ଥୌବାରୁ ଆରମ୍ଭ ହୋଇଛି ଏହି ଯାତ୍ରା । ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ମଣିପୁରକୁ ଭାରତର ଅବିଚ୍ଛେଦ୍ୟ ଅଂଶ ଭାବେ ଭାବୁ ନାହିଁ, ତେଣୁ ସେମାନଙ୍କ ଦୁଃଖ ଓ କଷ୍ଟକୁ ସେମାନେ ହୃଦୟଙ୍ଗମ କରି ପାରୁନାହାଁନ୍ତି । ଆଜି ମଣିପୁରର ଯେଉଁ ଦୁର୍ଗତି ହୋଇଛି ତା ପାଇଁ ବିଜେପିର ଘୃଣ୍ୟ ରାଜନୀତି ଓ ବିଜେପି-ଆରଏସଏସର ଆଦର୍ଶ ଓ କାର୍ଯ୍ୟକଳାପ ମୁଖ୍ୟତଃ ଦାୟୀ ।

ନାନା କଷ୍ଟରେ ମଣିପୁରବାସୀ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଥରୁଟିଏ ମଧ୍ୟ ମଣିପୁରକୁ ଗସ୍ତ କରିନାହାଁନ୍ତି । ଜାତିଗତ ସଂଘର୍ଷରେ ଲୋକମାନେ ନିଜର ଜୀବନକୁ ହରାଇଛନ୍ତି, ସେମାନଙ୍କ ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁକୁ ଦେଖିଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ଆପଣ ମାନଙ୍କ ଲୁହ ପୋଛିବାକୁ ଆସିନାହାନ୍ତି କି ସାନ୍ତ୍ବନା ଦେବା ପାଇଁ ହାତ ମଧ୍ୟ ଧରିନାହାନ୍ତି । ଏହା ନିହାତି ଭାବେ ଏକ ଲଜ୍ଜାଜନକ ଘଟଣା ଅଟେ ।

ଏହା ମଧ୍ୟ ପଢନ୍ତୁ...ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

ରାହୁଲ ଗାନ୍ଧୀ କହିଛନ୍ତି ଯେ, "ଗତ ଜୁନ ୨୯ ତାରିଖ ପର ଠାରୁ ମଣିପୁର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ରାଜ୍ୟ ଭାଗ ଭାଗ ହୋଇ ଯାଇଛି, ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ଘୃଣା ଭାବ ଜନ୍ମ ହୋଇଛି ଓ ଲକ୍ଷ ଲକ୍ଷ ଧନଜୀବନର କ୍ଷୟକ୍ଷତି ଘଟିଛି । ମୁଁ ୨୦୦୪ ଠାରୁ ରାଜନୀତିରେ ସଂଶ୍ଲିଷ୍ଟ ରହିଛି ମାତ୍ର ପ୍ରଥମ ଥର ଭାରତର ଏପରି ଏକ ସ୍ଥାନକୁ ଆସିଛି ଯେଉଁଠି ଶାସନତନ୍ତ୍ର ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଛି । ଆମେ ମାନେ ଆପଣଙ୍କ ଦୁଃଖ ଓ କଷ୍ଟକୁ ବୁଝି ପାରୁଛୁ । ମଣିପୁରର ଲୋକ ମାନେ ଯାହା ହରାଇଛନ୍ତି ତାକୁ ଫେରାଇ ଅଣାଯିବ । ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣକୁ ପୁନର୍ବାର ପ୍ରତିଷ୍ଠା କରାଯିବ ବୋଲି ଆଶ୍ବାସନା ଦେଉଛୁ"।

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲାରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ପରିକ୍ରମା କରିବ । ମଣିପୁରର ଇମ୍ଫାଲରୁ ଆରମ୍ଭ ହୋଇ ନାଗାଲ୍ୟାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ , ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡିଶା, ଉତ୍ତର ପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ ଦେଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ସମାପ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details