ଓଡିଶା

odisha

By

Published : Jul 28, 2023, 6:44 PM IST

ETV Bharat / bharat

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଛାଡ଼ି ବିମାନ ଛୁ, ତଦନ୍ତ ଆରମ୍ଭ କଲା ଏୟାର ଏସିଆ

କେମ୍ପେଗୌଡା ବିମାନ ବନ୍ଦରରେ ରାଜ୍ୟପାଳଙ୍କୁ ବିମାନ ମଧ୍ୟକୁ ଛାଡିଲେନି ଏୟାର ଏସିଆର କର୍ମକର୍ତ୍ତା । ଫଳରେ ରାଜ୍ୟପାଳଙ୍କୁ ଛାଡ଼ି ଉଡ଼ାଣ ଭରିଲା ବିମାନ । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Etv Bharat
Etv Bharat

ବେଙ୍ଗାଲୁରୁ:କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କୁ ଛାଡ଼ି ଉଡାଣ ଭରିଲା ବିମାନ । ରାଜ୍ୟପାଳ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଯିବା ଲାଗି କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବ୍ୟାଗେଜ ଚେକ୍‌-ଇନ କରିସାରିଥିବା ପରେ ମଧ୍ୟ ତାଙ୍କୁ ଛାଡ଼ି ପଳାଇଛି ବିମାନ । ଏହା ତାଙ୍କ ପ୍ରୋଟକଲରେ ତ୍ରୁଟି ଦର୍ଶାଇ ବିମାନ ବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏହାପରେ ତଦନ୍ତ ଆରମ୍ଭ କରିଛି ଏୟାର ଏସିଆ ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳ ଗେହଲଟ ଗୁରୁବାର ଅପରାହ୍ନରେ ଟର୍ମିନାଲ-୨ ଦେଇ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଯାତ୍ରା କରିଥାନ୍ତେ । ହାଇଦ୍ରାବାଦରୁ ସେ ରାଇଚୁର କାର ଯୋଗେ ଯାଇ ଏକ କନଭୋକେସନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଏଥିଲାଗି ସେ ନିର୍ଦ୍ଧାରିତ ସମୟ ଅନୁସାରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସେ ନିଜର ବ୍ୟାଗେଜ୍‌ ଚେକ୍‌-ଇନ୍‌ ମଧ୍ୟ କରିସାରିଥିଲେ । ହେଲେ ରାଜ୍ୟପାଳଙ୍କ ସମେତ ଆଉ ଜଣେ ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ାଣ ଭରିଥିବା ଜଣାପଡ଼ିଛି । ଏନେଇ ରାଜ୍ୟପାଳଙ୍କ ପ୍ରୋଟକଲ ଅଫିସର ଏମ ବେଣୁଗୋପାଳ ବିମାନ ବନ୍ଦର ଥାନାରେ ଏକ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ଏୟାର ଏସିଆ ବିମାନରେ ପୁଣି ଯାନ୍ତ୍ରିକ ସମସ୍ୟା, କେମ୍ପେଗୌଡା ବିମାନବନ୍ଦରରେ ଜରୁରୀ ଅବତରଣ

ରାଜ୍ୟପାଳ ଅପରାହ୍ନ ୧ଟା ୧୦ରେ ରାଜଭବନରୁ ବାହିରିଥିଲେ । ଏହାପରେ ସେ ଟର୍ମିନାଲ-୧ରେ ସମୟ ପ୍ରାୟ ୧ଟା ୩୫ରେ ପହଞ୍ଚିଥିଲେ । ଏହାପରେ ସେଠାରେ ହିଁ ତାଙ୍କର ବ୍ୟାଗେଜ ଚେକ୍‌-ଇନ୍‌ ହୋଇଥିଲା । ରାଜ୍ୟପାଳ ପ୍ରୋଟକଲ ଅଫିସରଙ୍କ କହିବା ଅନୁସାରେ ବିମାନବନ୍ଦରରେ ନିୟୋଜିତ ଥିବା ଏୟାରପୋର୍ଟ ଅତିଥି ସମ୍ପର୍କ ସହାୟକ ଅଧିକାରୀ ବିମାନରେ ବୋର୍ଡିଂ ପାଇଁ ବ୍ୟବସ୍ଥା କରିଥିଲେ । ଏହାସହ ଉକ୍ତ ଅଧିକାରୀ ଜଣକ ରାଜ୍ୟପାଳ ଟର୍ମିନାଲ-୨ରେ ପହଞ୍ଚିବା ଲାଗି ମଧ୍ୟ ଏୟାର ଡିଫେନ୍ସ କ୍ଲିୟରାନ୍ସ (ADC)ଙ୍କୁ ସୂଚିତ କରିଥିଲେ ।

ଅଭିଯୋଗ ଅନୁସାରେ ଏୟାର ଏସିଆ (AIX Connect)ର ଜଣେ କର୍ମକର୍ତ୍ତା ବିମାନ ମଧ୍ୟକୁ ରାଜ୍ୟପାଳଙ୍କୁ ଯିବାକୁ ଅନୁମତି ଦେଇନଥିଲେ । ରାଜ୍ୟପାଳ ପହଞ୍ଚିବା ଲାଗି ବିଳମ୍ବ କରିଥିବା ସେ କହିଥିଲେ । ଯେତେବେଳେ କି ବିମାନର ଡୋର୍‌ ମଧ୍ୟ ଖୋଲା ରହିଥିଲା । ଏହାପରେ ରାଜ୍ୟପାଳଙ୍କ ଲଗେଜକୁ ବିମାନ ବନ୍ଦରରୁ ବାହାର କରିଦିଆଯାଇଥିଲା । ଏଥିଲାଗି ୧୦ ମିନିଟ ସମୟ ଲାଗିଥିଲେ ସୁଦ୍ଧା ରାଜ୍ୟପାଳଙ୍କୁ ବିମାନ ବନ୍ଦର ମଧ୍ୟକୁ ଯିବାକୁ ଅନୁମତି ମିଳିନଥିଲା । ଏହାପରେ ରାଜ୍ୟପାଳ ଅପମାନିତ ଅନୁଭବ କରି ସେଠାରୁ ଚାଲିଆସିଥିଲେ ବୋଲି ତାଙ୍କ ପ୍ରୋଟକଲ ଅଫିସର ବେଣୁଗୋପାଳ କହିଛନ୍ତି ।

ଏହାପରେ ଏୟାର ଏସିଆ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଏଥିଲାଗି ଏୟାର ଏସିଆ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏନେଇ ଏୟାର ଏସିଆ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, "ଏହି ଘଟଣାଟି ଲାଗି ଆମେ ଦୁଃଖିତ । ଏ ନେଇ ତଦନ୍ତ ଆରମ୍ଭ ହୋଇଛି ଏବଂ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମର ଏକ ଟିମ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ଅଛନ୍ତି ।"

ABOUT THE AUTHOR

...view details