ଓଡିଶା

odisha

ETV Bharat / bharat

ଆରପାରିରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ଜଷ୍ଟିସ ଫାତିମା ବିବି

First female SC Judge Fathima Beevi passes away: ସୁପ୍ରିମ କୋର୍ଟର ପ୍ରଥମ ମହିଳା ଜଜ୍ ଜଷ୍ଟିସ୍ ଏମ ଫାତିମା ବିବିଙ୍କ ଆଜି ଦେହାନ୍ତ ଘଟିଛି । 96 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 23, 2023, 4:52 PM IST

ଆରପାରିରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ଜଷ୍ଟିସ ଫାତିମା ବିବି
ଆରପାରିରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ଜଷ୍ଟିସ ଫାତିମା ବିବି

ଚେନ୍ନାଇ: ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଜଷ୍ଟିସ୍ ଏମ ଫାତିମା ବିବିଙ୍କ ଆଜି (ଗୁରୁବାର) ଦେହାନ୍ତ ଘଟିଛି । କୋଲ୍ଲମ ସ୍ଥିତ ଏକ ପ୍ରାଇଭେଟ ନର୍ସିଂ ହୋମରେ 96 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । କେରଳର ପାଣ୍ଡାଲମରେ ତାଙ୍କର ପୈତୃକ ଗ୍ରାମ ଥିଲା । ସେ ନିଜର ସ୍କୁଲ ପାଠପଢା କାଥୋଲିକେଟ ହାଇସ୍କୁଲରେ ସାରିଥିବା ବେଳେ ୟୁନିଭର୍ସିଟି କଲେଜରେ ନିଜର ସ୍ନାତକ ସାରିଥିଲେ । ସେ କେରଳରେ ପ୍ରଥମ ମହିଳା ଭାବେ ଆଇନରେ ଡିଗ୍ରୀ ହାସଲ କରିଥିଲେ ।

ଏହାପରେ ସେ 14 ନଭେମ୍ବର 1950 ରେ ଜଣେ ଓକିଲ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ କେରଳ ସବଅର୍ଡିନେଟ ଜୁୁଡିସିଆଲ ସର୍ଭିସେସ ମୁନସିଫ, ସବ ଅର୍ଡିନେଟ ଜଜ, ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ, ଜିଲ୍ଲା ଜଜ, ସେସନ ଜଜ, ଏବଂ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲର ଜୁଡିସିଆଲ ମେମ୍ବର ଭାବେ କାର୍ଯ୍ୟ କରିଥିଲେ । ଏହା ପରେ 1983 ମସିହାରେ କେରଳ ହାଇକୋର୍ଟର ଜଜ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ଆରପାରିରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଭେଙ୍କଟରମଣ, ବାଲାନ୍ସ ଅଫ୍ ପେମେଣ୍ଟ ସଙ୍କଟର ଥିଲେ ରକ୍ଷକ

ତେବେ 1989 ମସିହାରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ କାର୍ଯ୍ୟ କରି ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଇତିହାସ ସୃଷ୍ଟି କରିଥିଲେ । ଏହା ସହ ଏ କ୍ଷେତ୍ରରେ ସେ ଥିଲେ ପ୍ରଥମ ମୁସଲିମ ମହିଳା ବିଚାରପତି । 1992 ମସିହାରେ ସୁପ୍ରିମକୋର୍ଟର ବିଚାରପତି ପଦରୁ ଅବସର ନେଇଥିଲେ । ପରବର୍ତ୍ତୀ ସମୟରେ 1997 ମସିହାରେ ସେ ପ୍ରଥମ ମୁସଲିମ ମହିଳା ଭାବେ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଏହି କାର୍ଯ୍ୟକାଳ ସମୟରେ ସେ ତାମିଲନାଡୁ ବିଶ୍ବବିଦ୍ୟାଳୟର କୁଳାଧିପତି ଭାବେ କାର୍ଯ୍ୟ କରିଥିଲେ ।

ଏତଦ୍ ବ୍ୟତୀତ ସେ ଜାତୀୟ ମାନବାଧିକାର ଆୟୋଗର ସଭ୍ୟ ଏବଂ କେରଳ ପଛୁଆ ବର୍ଗ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ସମ୍ମାନ ଜନକ ଡି. ଲିିଟ୍ ଉପାଧି, ଭାରତ ଜ୍ୟୋତି ସମ୍ମାନ ସହିତ 1990 ମସିହାରେ ମହିଳା ଶିରୋମଣି ସମ୍ମାନରେ ସମ୍ମାନିତ ହୋଇଥିଲେ । ଜଷ୍ଟିସ ବିବି ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ଅନେକ ଲୋକହିତକର କାମ ପାଇଁ ସୁପରିଚିତ ଥିଲେ । ସେ ମହିଳା ସଶକ୍ତୀକରଣ ଦିଗରେ କାର୍ଯ୍ୟ କରୁଥିବା ଅନେକ ଅନୁଷ୍ଠାନ ସହ ଜଡି଼ତ ଥିଲେ । ଏହି ବର୍ଷ ତାଙ୍କର ସଂଘର୍ଷମୟ ଜୀବନକୁ ନେଇ 'ନୀତିପଥୟିଲେ ଧୀରା ବନିତା' ଶୀର୍ଷକ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details