ଓଡିଶା

odisha

ETV Bharat / bharat

Amarnath Yatra 2023: ଆଜିଠୁ ଅମରନାଥ ଯାତ୍ରା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ - ଦିବ୍ୟ ଦର୍ଶନ ଦେବେ ମହାଦେବ

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା । ପାହାଡ ଚଢିବା ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁଙ୍କ ପ୍ରଥମ ବ୍ୟାଚ । ଅଧିକ ପଢନ୍ତୁ

Amarnath Yatra 2023
Amarnath Yatra 2023

By

Published : Jul 1, 2023, 8:54 AM IST

ଶ୍ରୀନଗର:ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ମହାଦେବ । ବରଫ ଲିଙ୍ଗ ଦର୍ଶନ ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଥିବା ଗତକାଲି ପ୍ରଥମ ବ୍ୟାଚ୍ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ବୋଲ ବମ୍ ନାରା ଦେଇ ଅମରନାଥ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ତେବେ ୬୨ ଦିନ ବ୍ୟାପୀ ହେବାକୁ ଥିବା ଏହି ଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଅଗଷ୍ଟ 31ରେ ଶେଷ ହେବ ।

ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଜମ୍ମୁ କାଶ୍ମୀର ପ୍ରଶାସନର ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ସହ ଡ୍ରୋନ ଓ ସ୍କ୍ବାଡ ଯୋଗେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ଯାତ୍ରୀମାନଙ୍କ ରହିବା ବ୍ୟବସ୍ଥାରେ ଉନ୍ନତି ଅଣାଯାଇଥିବା ବେଳେ ଅନେକ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରାଯାଇଛି । ସୁଗମ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସେନା ଓ ଜିଲ୍ଲା ପ୍ରଶାସନର କ୍ୟାମ୍ପ କରାଯାଇଛି । ଅମରନାଥ ଯାତ୍ରୀଙ୍କୁ ରାସ୍ତାରେ ଖାଦ୍ୟ, ପାନୀୟ, ଶୀତବସ୍ତ୍ର ଆଦି ସାହାଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ତେବେ ଅମରନାଥ ଯାତ୍ରା ପାଇଁ ଏପ୍ରିଲ ୧୭ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ଉଭୟ ଅନ-ଲାଇନ ଓ ଅଫ-ଲାଇନ ମାଧ୍ୟମରେ ଶ୍ରଦ୍ଧାଳୁମାନେ ପଞ୍ଜିକରଣ କରିଥିଲେ । ସାରା ଦେଶରେ ମୋଟ 542ଟି ବ୍ୟାଙ୍କରେ ଅଫଲାଇନ ମୋଡରେ ଏହି ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯାଇଥିଲା । ସେହିପରି ଅନଲାଇନ ମାଧ୍ୟମରେ ମଧ୍ୟ ଶ୍ରୀ ଅମରନାଥ ସ୍କ୍ରିନିଂ ବୋର୍ଡର ଅଫିସିଆଲ ଓ୍ବେବସାଇଟରେ ବେଶ ସହଜରେ ଶ୍ରଦ୍ଧାଳୁମାନେ ପଞ୍ଜିକରଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Amarnath Yatra 2023: ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ପରସା ଯିବନି ଏହି ଖାଦ୍ୟ

ପ୍ରକାଶ ଥାଉକି, ପ୍ରତିବର୍ଷ ଜୁଲାଇରେ ଏହି ପବିତ୍ର ଯାତ୍ରା ଆରମ୍ଭ ହୋଇଥାଏ । ଏଥିରେ ଅମରନାଥ ଗୁମ୍ଫାରେ ଆବିର୍ଭୂତ ହୋଇଥିବା ମହାଦେବଙ୍କ ବରଫ ସ୍ବରୂପ ମହାଲିଙ୍ଗକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି । ହିମାଳୟ ପାର୍ବତ୍ୟଞ୍ଚଳରେ ପ୍ରବଳ ତୁଷାରପାତ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ଆଶଙ୍କା ମଧ୍ୟରେ ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରନ୍ତି ।

ABOUT THE AUTHOR

...view details