ଲକ୍ଷ୍ନୌ:ମହରମ ଶୋଭାଯାତ୍ରାରେ ଫୁଟିଲା ଗୁଳି, ଚାଲିଲା ପଥରମାଡ । କି’ଏ କୁଆଡେ ଧାଇଁଲେ । ଗୁଳିମାଡ ଓ ଦଳାଚକଟାରେ 5 ଜଣ ଆହତ ହେଲେ । ଉତ୍ତର ପ୍ରଦେଶ ରାମପୁର ଜିଲ୍ଲାରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆଜି (ଶନିବାର) ସନ୍ଧ୍ୟାରେ ଜିଲ୍ଲାର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଏହି ମହରାମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଶୋଭାଯାତ୍ରା ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ଏହି କାରଣରୁ ଏହି ଶୋଭାଯାତ୍ରାରେ ସାମିଲ ଥିବା ଗାଁ ମୁଖିଆଙ୍କ ଭାଇ ଏବଂ ସମ୍ପର୍କୀୟଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ତିନି ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ଅବଶିଷ୍ଟ 2 ଗୁରୁତରଙ୍କୁ ଅନ୍ୟତ୍ର ହସ୍ତାନ୍ତର କରାଯାଇଛି । ତେବେ ସୂଚନା ଅନୁସାରେ, ଆକ୍ରମଣ କରିଥିବା ଗୋଷ୍ଠୀ ମଧ୍ୟ ସ୍ଥାନୀୟ ଅଞ୍ଚଳର ଓ ସମାନ ଧର୍ମର ଅନ୍ୟ ଏକ ଗୋଷ୍ଠୀ ।
ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଶତ୍ରୁତାରୁ ଏହି ଆକ୍ରମଣ ହୋଇଛି ବୋଲି କୁହାଯାଉଛି । ସତର୍କତାମୂଳକ ପଦକ୍ଷେପ ଭାବେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ରାମପୁର ବ୍ୟତୀତ ବାରାଣାସୀରେ ମଧ୍ୟ ଇସଲାମର ଦୁଇ ଉପସମ୍ପ୍ରଦାୟ ଶିହା ଓ ସୁନ୍ନି ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପକ୍ଷ ପରସ୍ପର ଉପରକୁ ପଥରମାଡ କରିଛନ୍ତି । ଏଥିରେ ଉଭୟ ପକ୍ଷର ଏକାଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋଭାଯାତ୍ରା ବନ୍ଦ ରଖଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।