ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଅମୃତ କାଳର ପ୍ରଥମ ବଜେଟ । ଦେଶର ଅର୍ଥବ୍ୟବସ୍ଥା ଠିକ୍ ଦିଗରେ ଓ ଉଜ୍ଜଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛି । ସାରା ବିଶ୍ବରେ ଭାରତ ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ସୂଚନା ଦେଇ ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯଆଉଛି । ୯.୬ କୋଟି ଘରକୁ ଏଲପିଜି କନେକ୍ସନ ଦିଆଯାଇଛି । ମହାମାରୀର ସଫଳ ଓ ଦୃଢତାର ସହ ମୁକାବିଲା କରାଯାଇଛି । ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି । ଦେଶର ମୁଣ୍ଡପିଛା ଆୟ ଦୁଇଗୁଣ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି ।
ସେହିପରି ଅର୍ଥମନ୍ତ୍ରୀ ମିଲେଟକୁ ନେଇ ବଡ ଘୋଷଣା କରିଛନ୍ତି । ଦେଶରେ ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ ଯୋଜନା ଆରମ୍ଭ ହେବ । ଭାରତ ମିଲେଟର ଗ୍ଲୋବାଲ ହବ୍ ହେବ । ଏହାଦ୍ବାରା ବିଶ୍ବ ବଜାରରେ ମାଣ୍ଡିଆ ପହଞ୍ଚିବ । ପୋଷକତତ୍ତ୍ବ ଭରପୁର ଏହି ଶସ୍ୟ ପାଇଁ ସରକାର ଏକ ମିଲେଟ ରିସର୍ଚ୍ଚ ସେଣ୍ଟର ସ୍ଥାପନ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ ୧ ଓ ରପ୍ତାନୀ କ୍ଷେତ୍ରରେ ଦ୍ବିତୀୟ ବୋଲି ସୀତାରମଣ କହିଛନ୍ତି ।