ଲକ୍ଷ୍ନୌ:ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ । ଶିକ୍ଷକ କି ଶିକ୍ଷୟିତ୍ରୀ ନୁହେଁ ବରଂ ଜଣେ ଛାତ୍ରଙ୍କୁ ଶ୍ରେଣୀଗୃହର ଅନ୍ୟ ଛାତ୍ରମାନେ ଜଣଙ୍କ ପରେ ଜଣେ ମାଡ ମାରୁଛନ୍ତି । ତାହା ପୁଣି ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶିକ୍ଷୟତ୍ରୀ ଜଣଙ୍କ ଖରାପ ଭାଷାରେ କିଛି କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲା ମାନସୁରପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଖାବପୁର ଗାଁର ଏକ ବିଦ୍ୟାଳୟରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଭିଡିଓ ଭାଇରାଲ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ-ପାଠ ଶେଷ କରିନଥିବାରୁ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼, ଥାନାରେ ଏତଲା
ଭାଇରାଲ ଭିଡିଓକୁ ନେଇ ଖାତାଉଲି ସିଓ ରବି ଶଙ୍କର କହିଛନ୍ତି ଯେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ଜଣେ ମହିଳା ଶିକ୍ଷୟିତ୍ରୀ ଅନ୍ୟ ପିଲାଙ୍କ ଦ୍ୱାରା ଜଣେ ଛାତ୍ରଙ୍କୁ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି, ଏହି ଭିଡିଓ ଖାବପୁର ଗାଁର । ଯେଉଁଠାରେ ଜଣେ ମହିଳା ନିଜ ଘରେ ସ୍କୁଲ କରି ପିଲାଙ୍କୁ ପାଠ ପଢାଉଛନ୍ତି । ଭିଡିଓରେ ଅନ୍ୟ ଛାତ୍ରମାନେ ଜଣେ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ମାଡ ମାରୁଛନ୍ତି । ଶିକ୍ଷୟିତ୍ରୀ ଜଣକ ଭିଡିଓରେ କିଛି ଗାଳି ଗୁଲଜ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି ।