ଲକ୍ଷ୍ନୌ: ଉତ୍ତରପ୍ରଦେଶ ମଥୁରା ଜିଲ୍ଲା ଅନ୍ତର୍ଗତ ଯମୁନା ଏକ୍ସପ୍ରେସୱେ ନିକଟରେ ସୁଟ୍କେସ ଭିତରୁ ମୃତଦେହ ମିଳିବା(Woman body found stuffed inside trolley) ଘଟଣାର ପର୍ଦ୍ଦାଫାସ ହୋଇଛି । ଏହା ଏକ ଅନର କିଲିଂ ବୋଲି ପୋଲିସ କହିଛି । ମୃତ ଯୁବତୀ ୨୧ ବର୍ଷୀୟା ଆୟୁଷୀ ଯାଦବ । ଅନ୍ୟ ଜାତିର ଜଣେ ଯୁବକଙ୍କୁ ବିବାହ କରିବାରୁ ଆୟୁଷୀଙ୍କ ବାପା ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ସୁଟ୍କେସରେ ମୃତଦେହ ଭର୍ତ୍ତି କରି ରାସ୍ତାକଡରେ ଫିଙ୍ଗି ଦେଇଥିଲେ । ସତ ଜଣାପଡିବା ପରେ ପୋଲିସ ହତ୍ୟାକାରୀ ବାପା ନୀତିଶ ଯାଦବକୁ ଗିରଫ କରିଛି ।
ସୂଚନା ମୁତାବକ, ଆୟୁଷୀଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ବାପା ଦିଲ୍ଲୀରେ ଚାକିରି କରିଥିବାରୁ ପରିବାର ସେଠାରେ ରହୁଥିଲେ । ଆୟୁଷୀ ବିସିଏ ଛାତ୍ରୀ ଥିଲେ ଏବଂ ଅନ୍ୟ ଜାତିର ଜଣେ ଯୁବକଙ୍କୁ ଭଲ ପାଉଥିଲେ । କିଛି ଦିନ ତଳେ ସେ କାହାକୁ ନଜଣାଇ ଘର ଛାଡି ପଳାଇଥିଲେ ଏବଂ ବିବାହ କରିଥିଲେ । ଏହାପରେ ନଭେମ୍ବର ୧୭ରେ ସେ ଘରକୁ ଫେରିବା ପରେ ଯୁବତୀଙ୍କ ବାପା ରାଗି ଯାଇ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ମୃତଦେହକୁ ସୁଟକେସରେ ପ୍ୟାକ୍ କରି ଯମୁନା ଏକ୍ସପ୍ରେସୱେ ନିକଟରେ ଫିଙ୍ଗି ଦେଇଥିଲେ । ଏକଥା ମୃତ ଯୁବତୀଙ୍କ ମାଆ ମଧ୍ୟ ଜାଣିଥିଲେ ।