ଓଡିଶା

odisha

ETV Bharat / bharat

Wrestler's Protest: ଗଙ୍ଗାରେ ମେଡାଲ ବିସର୍ଜନ ନିଷ୍ପତ୍ତି ସ୍ଥଗିତ, ସରକାରଙ୍କୁ ଦେଲେ ୫ଦିନର ଡେଡଲାଇନ୍ - ହରିଦ୍ବାର

ଗଙ୍ଗାରେ ମେଡାଲ ଭସାଇବା ନିଷ୍ପତ୍ତି ୫ ଦିନ ପାଇଁ ସ୍ଥଗିତ । କୁସ୍ତିଯୋଦ୍ଧାଙ୍କଠୁ ମେଡାଲ ନେଇ ୫ଦିନ ସମୟ ମାଗିଲେ ଚାଷୀ ନେତା ନରେଶ ଟିକାୟତ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 30, 2023, 8:54 PM IST

Wrestler's Protest: ଗଙ୍ଗାରେ ମେଡାଲ ଭସାଇବା ନିଷ୍ପତ୍ତି ୫ଦିନ ପାଇଁ ସ୍ଥଗିତ, ରୋକିଲେ ଟିକାୟତ
ଗଙ୍ଗାରେ ମେଡାଲ ଭସାଇବା ନିଷ୍ପତ୍ତି ୫ଦିନ ପାଇଁ ସ୍ଥଗିତ

ହରିଦ୍ବାର (ଉତ୍ତରାଖଣ୍ଡ): ପବିତ୍ର ଗଙ୍ଗା ନଦୀରେ ମେଡାଲ ଭସାଇବା ଲାଗି ମଙ୍ଗଳବାର ଉତ୍ତରାଖଣ୍ଡ ସ୍ଥିତ ହରିଦ୍ବାରରେ ପହଞ୍ଚିଥିଲେ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା । ହେଲେ ସେମାନଙ୍କୁ ଭାରତୀୟ କିଷାନ ୟୁନିଅନର ଅଧ୍ୟକ୍ଷ ନରେଶ ଟିକାୟତ ଅଟକାଇଥିବା ଜଣାପଡ଼ିଛି । ଏହାଦ୍ବାରା ଗଙ୍ଗାରେ ମେଡାଲ ଭସାଇବା ନିଷ୍ପତ୍ତି ୫ଦିନ ପାଇଁ ସ୍ଥଗିତ ରଖାଯାଇଛି । ଟିକାୟତ ସେମାନଙ୍କଠାରୁ ମେଡାଲ ନେଇ ତାଙ୍କୁ ୫ ଦିନର ସମୟ ମାଗିଛନ୍ତି । ଏହାପରେ କୁସ୍ତିଯୋଦ୍ଧାମାନେ ଦିଲ୍ଲୀ ଫେରିଥିବା ଜଣାପଡ଼ିଛି ।

ଗତ ଏପ୍ରିଲ ମାସରୁ କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣି ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ । ହେଲେ ବ୍ରିଜଭୂଷଣଙ୍କୁ ଗିରଫ କରାଯାଇନଥିବା ବେଳେ ନୂଆ ସଂସଦ ଭବନ ଉଦଘାଟନୀ ଦିନ ପଦଯାତ୍ରା ସମୟରେ ଦିଲ୍ଲୀ ରାସ୍ତାରେ କୁସ୍ତିଯୋଦ୍ଧାଙ୍କୁ ଘୋଷାଡ଼ିଥିଲା ଦିଲ୍ଲୀ ପୋଲିସ । ସେମାନେ ଶାନ୍ତିପୂର୍ଣ୍ଣ ଭାବେ ମହିଳା ମହାପଞ୍ଚାୟତରେ ସାମିଲ ହେବାକୁ କହିବା ପରେ ମଧ୍ୟ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହାକୁ ନେଇ ମଙ୍ଗଳବାର ସକାଳେ ବଡ଼ ଘୋଷଣା କରିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ସେମାନେ ନିଜ ମେଡାଲଗୁଡ଼ିକୁ ସନ୍ଧ୍ୟାରେ ଗଙ୍ଗାନଦୀରେ ବିସର୍ଜନ କରିବା ଲାଗି ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ- Wrestlers Protest: ମେଡାଲ ବିସର୍ଜନ ଅଭିମୁଖେ କୁସ୍ତିଯୋଦ୍ଧା, ପାର କଲେ ହରିଦ୍ବାର ସୀମା

ଏହାପରେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ, ସଙ୍ଗୀତା ଫୋଗାଟ ଏବଂ ବିନେଶ ଫୋଗାଟ ସହିତ ଅନ୍ୟ କୁସ୍ତିଯୋଦ୍ଧା ଉତ୍ତରାଖଣ୍ଡ ହରିଦ୍ବାରରେ ପହଞ୍ଚିଥିଲେ । ସେଠାରେ ସେମାନେ ହରକି ପୈଡି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଚାଷୀ ନେତା ନରେଶ ଟିକାୟତ ତାଙ୍କୁ ଅଟକାଇଥିଲେ । କୁସ୍ତିଯୋଦ୍ଧାମାନଙ୍କଠାରୁ ମେଡାଲ ଛଡ଼ାଇ ନେବା ସହ ସେମାନଙ୍କୁ ୫ ଦିନ ସମୟ ମାଗିଥିଲେ । ଏହି ସମୟରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପବିତ୍ର ଗଙ୍ଗା ନଦୀ ବହୁଥିବା ବେଳେ ଅନ୍ୟପଟେ ମହିଳା କୁସ୍ତିଯୋଦ୍ଧାଙ୍କ ଆଖିରୁ ଧାର ଧାର ଲୁହ ବାହାରୁଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- Wrestler's Protest: କୁସ୍ତିଯୋଦ୍ଧାଙ୍କ ବଡ଼ ଘୋଷଣା, ସନ୍ଧ୍ୟାରେ ଗଙ୍ଗାରେ ମେଡାଲ ବିସର୍ଜନ

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର କାରଣ:-କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାସଂଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ତାଙ୍କୁ ଏହି ପଦରୁ ହଟାଇବା ଲାଗି ସେମାନେ ଦାବି କରିଛନ୍ତି । ଏହାସହ ବ୍ରିଜଭୂଷଣଙ୍କୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା ଚେତାବନୀ ଦେଇଛନ୍ତି । ଗତ ଏପ୍ରିଲ ମାସରୁ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେବା ପରିବର୍ତ୍ତେ କେହି ତାଙ୍କ କଥା ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details