ପାଟନା:ଗେଷ୍ଟ ହାଉସରେ ଚାଲିଥିଲା ନକଲି ଥାନା । ପାରିଶ୍ରମିକ ସୂତ୍ରରେ ଆସିଥିଲେ ଅଧିକାରୀ ଓ କର୍ମଚାରୀ । ଥାନାରେ ଥିଲା ପୋଲିସ ପୋଷାକ, ବନ୍ଧୁକ ଓ ଅନ୍ୟ ଆବଶ୍ୟକୀୟ କାଗଜପତ୍ର । ଅଭିଯୋଗ ନେଇ ଥାନାକୁ ଆସୁଥିବା ଦୁଇ ପକ୍ଷଙ୍କ ଠାରୁ ସମାଧାନ ଆଳରେ ମଗା ଯାଉଥିଲା ଟଙ୍କା ଓ ପରେ ତାଗିଦ କରିବା ସହ ଧମକ ଦେଇ ପଠାଇ ଦିଆଯାଉଥିଲା । ହେଲେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଚଢାଉ ପରେ ଏପରି କିଛି ନାଟକୀୟ ଓ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ସାମ୍ନାକୁ ଆସିଛି ବିହାରର ବାଙ୍କା ସହରରୁ ।
ଗେଷ୍ଟ ହାଉସରେ ଭଡାସୂତ୍ରରେ ଚାଲିଥିଲା ଥାନା:-
ସହରର ଏକ ଗେଷ୍ଟ ହାଉସକୁ ଥାନାରେ ରୁପାନ୍ତରଣ କରିଥିଲା ମାଷ୍ଟରମାଇଣ୍ଡ । ଜଣେ ମହିଳାଙ୍କ ସମେତ କିଛି ବ୍ୟକ୍ତିଙ୍କୁ ନକଲି ଅଧିକାରୀ ଓ କର୍ମଚାରୀ ଭାବେ ଭଡା ସୂତ୍ରରେ ମଧ୍ୟ ରଖାଯାଇଥଲା । ନକଲି ଥାନାର ପ୍ରଭାରୀ ଦାୟିତ୍ବରେ ଥିଲେ ଅନିତା ନାମ୍ନୀ ଜଣେ ମହିଳା। ସେ ସାଙ୍ଗରେ ଏକ ଦେଶୀ ମଧ୍ୟ ବନ୍ଧୁକ ରଖିଥିଲେ । ଅନ୍ୟ ସମସ୍ତ ନକଲି କର୍ମଚାରୀଙ୍କୁ 5ଶହ ଦୈନିକ ପାରିଶ୍ରମିକ ମଧ୍ୟ ମିଳୁଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନରେ ଗିରଫଦାରୀ ପରେ ଏପରି ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।