ନୂଆଦିଲ୍ଲୀ:ଚଳିତ ମାସ 4 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସଂସଦ ଶୀତ ଅଧିବେଶନରେ ବହୁଚର୍ଚ୍ଚିତ କ୍ବାସ ଫର କ୍ବାରୀ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ଏହା ପୂର୍ବରୁ ସଂସଦ ସଦାଚାର କମିଟି ତଦନ୍ତ ଶେଷ କରି ବାଚସ୍ପତିଙ୍କୁ ମୋଇତ୍ରାଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ସୁପାରିଶ ମଧ୍ୟ କରିସାରିଛି । ତେବେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାରେ ଦଳର ଫ୍ଲୋର ଲିଡର ଅଧୀର ରଞ୍ଜନ ଚୌଧୁରୀ । ପଦରୁ ବହିଷ୍କୃତ କରାଯିବା ଏକ କଠୋରତମ ଦଣ୍ଡ ଓ ମୋଇତ୍ରା କ୍ଷେତ୍ରରେ ଯଦି ଏହାକୁ କାର୍ଯ୍ୟକାରୀ କରାଯାଏ, ଏହାର ସୁଦୂରପ୍ରସାରୀ ପ୍ରଭାବ ପଡିବା ନେଇ ଅଧୀର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
ଆଜି ଅଧିର ଲେଖିଥିବା ଦୀର୍ଘ ଚାରି ପୃଷ୍ଠା ସମ୍ବଳିତ ଚଠିରେ ଉଲ୍ଲେଖ କରିଛନ୍ତି, ମହୁଆ ମୋଇତ୍ରାଙ୍କ ମାମଲା ପୂର୍ବରୁ ଲୋକସଭା ସଦାଚାର କମିଟି ଏପରି ଖୁବ୍ କମ୍ ମାମଲାର ତଦନ୍ତ ଓ ସମାଧାନ କରିଛି । ଯାହା ମୁଖ୍ୟତଃ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ପରି କାର୍ଯ୍ୟକଳାପ ସହ ସମ୍ପର୍କିତ । ଏପରି କ୍ଷେତ୍ରରେ ସଂସଦର ଅଧିବେଶନରୁ ଚେତାବନୀ, ତାଗିଦ୍ କିମ୍ବା ନିର୍ଦ୍ଦିଷ୍ଟ ଅବଧି ପାଇଁ ନିଲମ୍ବନ କାର୍ଯ୍ୟାନୁଷ୍ଠାନରେ ସୀମିତ ରଖିବାକୁ ସୁପାରିଶ କରାଯାଇଥିବାର ଦୃଷ୍ଟାନ୍ତ ରହିଛି । ଆହୁରି ମଧ୍ୟ ସେ ଲେଖିଛନ୍ତି, ସଂସଦୀୟ କମିଟି କ୍ଷେତ୍ରରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବା ନେଇ କୌଣସି ସ୍ପଷ୍ଟ ଅଧିକାର ମଧ୍ୟ ନାହିଁ । ଏପରି ସ୍ଥଳେ ମୋଇତ୍ରାଙ୍କୁ ସାଂସଦ ପଦରୁ ବରଖାସ୍ତ କରିବା ଅତି କଠୋରତମ ଦଣ୍ଡ ଭାବେ ବିବେଚନା କରାଯାଇପାରେ । ଯାହାର ପ୍ରଭାବ ମଧ୍ୟ ଦେଖାଯିବ ।