ବେଙ୍ଗାଲୁରୁ:ବିଧାନସଭା ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ବିଦ୍ରୋହ ସାମ୍ନା କରିପାରେ । ଆଜି (ମଙ୍ଗଳବାର) ରାତି ସୁଦ୍ଧା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏପରି ଏକ ବିଦ୍ରୋହର ସମୀକରଣର ମଧ୍ୟ ଆଭାଷ ମିଳିଲାଣି । ଟିକେଟ ନମିଳିଲେ ଦଳ ବିରୋଧରେ ପ୍ରାର୍ଥୀ ହୋଇପାରନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର । ତାଙ୍କୁ ପ୍ରାୟତଃ ଦଳ ଟିକେଟ ଦେଇନପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ପାର୍ଟି ଟିକେଟ ନପାଇଲେ ଦଳ ବିରୋଧରେ ମଧ୍ୟ ନିର୍ବାଚନ ଲଢିବା ନେଇ ପରୋକ୍ଷ ଘୋଷଣା କରିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଥିବା ଏହି ବରିଷ୍ଠ ନେତା ଏବେ ହୁବାଲୀ ଆସନରୁ ବିଧାୟକ ରହିଛନ୍ତି । ସେ 6 ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଥବା ବେଳେ ଗତ ବିଧାନସଭା ନିର୍ବାଚନ (2018) ରେ 21 ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ମହେଶ ନଲଓ୍ବାଡଙ୍କୁ ପରାଜିତ କରିଥିଲେ । ତେବେ ଏଥର ତାଙ୍କୁ ଦଳ ଟିକେଟ ଦେଇନପାରେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ କୌଣସି ଯୁବ ଚେହେରାଙ୍କୁ ଚୟନ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ତେବେ ଟିକେଟ ମିଳିବା ପ୍ରସଙ୍ଗରେ ସିଧା ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜଗଦୀଶ । କହିଛନ୍ତି, ‘‘ଗତ 6ଟି ବିଧାନସଭା ନିର୍ବାଚନରେ ମୁଁ ବିଜୟୀ ହୋଇଛି । ଗତ ନିର୍ବାଚନରେ ମଧ୍ୟ ପ୍ରାୟ 21 ହଜାର ବ୍ୟବଧାନରେ ବିଜୟୀ ହୋଇଛି । ହେଲେ ମୋର ତ୍ରୁଟି କେଉଁଠି । ମୁଁ ଏହି ଟିକେଟ ପ୍ରସଙ୍ଗରେ ନିରାଶ । କାରଣ ମୁଁ ମୋର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିସାରିଲେଣି । ଏପରି ସ୍ଥିତିରେ ଦଳ ଯାହା ନିଷ୍ପତ୍ତି ନେଉ ନାଁ କାହିଁକି, ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନକରିବାର ପ୍ରଶ୍ନ ଉଠୁନାହିଁ ।’’