ଓଡିଶା

odisha

By ETV Bharat Odisha Team

Published : Dec 28, 2023, 6:41 PM IST

Updated : Dec 28, 2023, 7:13 PM IST

ETV Bharat / bharat

ଜଗନଙ୍କ ଟିମରେ ରାୟୁଡୁ, କ୍ରିକେଟ ପଡିଆ ନୁହେଁ ରାଜନୈତିକ ମୈଦାନକୁ ଓହ୍ଲାଇଲେ

Ambati Rayudu joins YSR Congress: ରାଜନୀତିରେ ପାଦ ଥାପିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । YSR କଂଗ୍ରେସରେ ହେଲେ ସାମିଲ । ଅଧିକ ପଢନ୍ତୁ

Ambati Rayudu joins YSR Congress
Ambati Rayudu joins YSR Congress

ବିଶାଖାପାଟନମ:ରାଜନୀତିରେ ପାଦ ଥାପିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ସେ ୱାଇଏସଆର କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି (ଗୁରୁବାର) ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ଉପସ୍ଥିତିରେ ସେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଦଳରେ ଯୋଗଦେବା ପୂର୍ବରୁ ସେ ଏକାଧିକ ଥର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ଭେଟୁଥିଲେ । ଏହାପରେ ସେ YSR କଂଗ୍ରେସରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ପାର୍ଟି ପକ୍ଷରୁ କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟରେ ଲେଖାଯାଇଛି, "ଲୋକପ୍ରିୟ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ୱାଇଏସଆର କଂଗ୍ରେସରେ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନଙ୍କ ଉପସ୍ଥିତିରେ ଯୋଗଦାନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ ଓ ସାଂସଦ ପେଡିରେଡ୍ଡି ମିଥୁନ ରେଡ୍ଡି ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।" ୱାଇଏସଆର କଂଗ୍ରେସରେ ଯୋଗଦାନ ପୂର୍ବରୁ ରାୟୁଡ଼ୁ ସିଏମ କ୍ୟାମ୍ପ ଅଫିସରେ ପହଞ୍ଚିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଜଗନ ରାୟୁଡ଼ୁଙ୍କୁ ଦଳୀୟ ରଙ୍ଗର ଉତ୍ତରୀୟ ପିନ୍ଧାଇବା ସହିତ ଆଲିଙ୍ଗନ କରି ଦଳକୁ ସ୍ବାଗତ କରିଥିଲେ ।

ଏହା ବି ପଢନ୍ତୁ- ରାଜନୀତିରେ ପାଦ ଦେବେ ରାୟୁଡୁ ! ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଜୋର ଧରିଲା ଚର୍ଚ୍ଚା

ରାୟୁଡୁ ରାଜନୀତିରେ ପାଦ ଦେଇପାରନ୍ତି ବୋଲି ଅନେକ ଦିନରୁ ଚର୍ଚ୍ଚା ଆରମ୍ଭ ହେଉଥିଲା । ଏଥିଲାଗି ସେ ବାରମ୍ବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭେଟୁଥିଲେ । ଏହାପରେ ସେ YSR କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଏପରିକି ରାୟୁଡୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ନେଇ ଆଗ୍ରହୀ ଥିବା ଜଣାପଡ଼ିଛି । ଆଗାମୀ ଲୋକସଭା ନିର୍ବାଚନରେ ସେ କୃଷ୍ଣା କିମ୍ବା ଗୁଣ୍ଟୁର ଆସନରୁ ନିର୍ବାଚନ ଲଢିବେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଥାଉ କି ରାୟୁଡୁଙ୍କୁ ୨୦୧୯ ବିଶ୍ବକପ୍‌ରୁ ଦଳରୁ ବାଦ ଦିଆଯିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାପରେ ୨୦୨୩ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପରେ ରାୟୁଡୁ ସମସ୍ତ ଫର୍ମାଟରୁ ଅବସର ନେଇ ଘୋଷଣା କରିଥିଲେ । କ୍ରିକେଟକୁ ବାଏ ବାଏ କରିବା ପରେ ରାୟୁଡୁ ଆନ୍ଧ୍ରପ୍ରଦେଶର ରାଜନୀତିରୁ ଦ୍ବିତୀୟ ଇନିଂସ ଆରମ୍ଭ କରିବା ଲାଗି ସଙ୍କେତ ଦେଇଥିଲେ । ଚଳିତ ବର୍ଷ ଜୁନରେ ମୁତଲୁରୁ ଗ୍ରାମରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ରାୟୁଡୁ କହିଥିଲେ, " ଆନ୍ଧ୍ରପ୍ରଦେଶ ଲୋକଙ୍କ ସେବା ଲାଗି ମୁଁ ଖୁବଶୀଘ୍ର ରାଜନୀତିରେ ଯୋଗ ଦେଇପାରେ । ଏହାପୂର୍ବରୁ ଲୋକଙ୍କ ସମସ୍ୟା ଓ ସେମାନଙ୍କୁ ଅତି ନିକଟରୁ ଜାଣିବା ଲାଗି ମୁଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2023, 7:13 PM IST

ABOUT THE AUTHOR

...view details