ଶ୍ରୀନଗର:ଜାମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଆଜି ପୂର୍ବାହ୍ନରୁ ଜାରି ରହିଥିବା ଏହି ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସେନାକୁ ସଫଳତା ମିଳିଛି । ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ଆଧାରରେ ସ୍ଥାନୀୟ ପୋଲିସ ଓ ସେନାର ମିଳିତ ଟିମ ଏହି ଅପରେସନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ଆତଙ୍କୀଙ୍କୁ ନିପାତ ହେବା ସହ ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛି ।
‘ଏକ୍ସ’ରେ ଟ୍ବିଟ କରି କାଶ୍ମୀର ଜୋନ ପୋଲିସ କହିଛି, କୁଲଗାମର କୁଜ୍ଜର ଅଞ୍ଚଳରେ ସେନା ଓ ପୋଲିସର ମିଳିତ ଅପରେସନରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଏବେ ଘଟଣାସ୍ଥଳକୁ କର୍ଡନ କରାଯାଇ ଅପରେସନ ଜାରି ରହିଛି । ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ତେବେ ଘାଟିରେ ନିୟମିତ ଆତଙ୍କୀ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ବେଳେ ବେଳେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଉଭୟ ସ୍ଥାନୀୟ ପୋଲିସ, ସେନା ଗୁଇନ୍ଦା ବିଭାଗର ଇନପୁଟ ସୂଚନା ଆଧାରରେ ନିୟମିତ ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟର ଜାରି ରଖିଛନ୍ତି । ନିକଟରେ ଏକାଧିକ ଏନକାଉଣ୍ଟରରେ ମଧ୍ୟ ଆତଙ୍କୀଙ୍କୁ ନିପାତ କରିବାର ସଫଳତା ସେନା ହାତରେ ଲାଗିଛି ।