ଚେନ୍ନାଇ:ତାମିଲନାଡୁର ଇରୋଡ ଅଞ୍ଚଳରେ ଘଟିଛି ଭୟଙ୍କର ଘଟଣା । ଜଣେ ୫୪ ବର୍ଷୀୟ ସରକାରୀ କର୍ମଚାରୀଙ୍କ ଜିଭକୁ କାମୁଡ଼ିଲା ବିଷଧର ସାପ । ପୁରା ଶରୀରରେ ବିଷ ବ୍ୟାପିବାକୁ ରୋକିବା ପାଇଁ ବ୍ୟକ୍ତି ଜଣକ ଜିଭ କାଟିବା ପରେ ହୋଇପଡ଼ିଛନ୍ତି ଗୁରୁତର । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଲେ ଚିକିତ୍ସା ଜାରି ରହିଛି । ବ୍ୟକ୍ତି ଜଣକ ଜଣେ ପୂଜାରୀଙ୍କ କଥାରେ ଆସି ସାପକୁ ଫୁଙ୍କିବା ସମୟରେ ବିଷଧର ତାଙ୍କ ଜିଭକୁ କାମୁଡ଼ିଥିବା ଜଣାପଡ଼ିଛି (Employee injured after showing his tongue in front of a snake) ।
ଡାକ୍ତର ଶାନ୍ତିକୁମାରନଙ୍କ କହିବାନୁସାରେ କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବ୍ୟକ୍ତିଙ୍କ ଜିଭ ଭୟଙ୍କର ଦେଖାଯାଉଥିଲା । ଏହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଆଣିଥିବା ଲୋକଙ୍କୁ ଏହା କିପରି ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ । ତେବେ ସାପଟି ବ୍ୟକ୍ତିଙ୍କ ଜିଭକୁ କାମୁଡ଼ି ଦେଇଛି ଏବଂ ବିଷ ଶରୀରରେ ବ୍ୟାପିବାରୁ ରୋକିବା ଲାଗି ସେ ନିଜ ଜିଭ କାଟି ଦେଇଥିବା କହିଥିଲେ ଲୋକେ।
ଜିଭ କାଟିବା ପରେ ବ୍ୟକ୍ତିଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ବ୍ୟକ୍ତିଙ୍କୁ ଶ୍ବାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭବ ହୋଇଥିଲା । ଜିଭ କାଟିବା ପରେ ମଧ୍ୟ ବ୍ୟକ୍ତିଙ୍କ ଶରୀରରେ ବିଷ ବ୍ୟାପିଯାଇଥିବା ଜଣାପଡ଼ିଛି । ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବଞ୍ଚାଇବା ଲାଗି ଡାକ୍ତରୀ ଟିମ ପ୍ରଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି ।