ଲକ୍ଷ୍ନୌ:ପୂର୍ବାଞ୍ଚଳ ଏକ୍ସପ୍ରେସ -ର ଅବତରଣ କରିଛି ଭାରତୀୟ ବାୟୁସେନାର ଲଢୁଆ ବିମାନ । ଉତ୍ତର ପ୍ରଦେଶ ସୁଲତାନପୁରର ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଏମରଜେନ୍ସି ଏକ୍ସରସାଇଜ ଅବସରରେ ଏହି ବିମାନଗୁଡିକ ଅବତରଣ କରି ପୁଣି ଉଡାଣ ଭରିଛନ୍ତି । ଆଜି ପୂର୍ବାହ୍ନରେ ବାୟୁସେନାର 3 ଟି ଲଢୁଆ ମିରାଜ ଫାଇଟର ଜେଟ ସହ ଜାଗୁଆର ଓ ପରିବହନ ବିମାନ AN32 ସଫଳତାର ସହ ଅବତରଣ କରିବା ସହ ପରେ ପୁଣି ଉଡାଣ ଭରିଥିଲେ । ଏବେ ମଧ୍ୟ ଅପରେସନ ସଫଳତାର ସହ ଜାରି ରହିଥିବା ବାୟୁସେନା ସୂତ୍ରରୁ ସୂଚନା ମିଳିଛି ।
ରୁଟିନ ପ୍ରଶିକ୍ଷଣ ଅଭ୍ୟାସରେ ଏହି ଏକ୍ସପ୍ରେସ-ଓ୍ବେକୁ ଜରୁରୀକାଳୀନ ଏୟାରବେସ ଭାବେ ବ୍ୟବହାର କରାଯାଇଥିଲା । ବାୟୁସେନା ମୁଖପାତ୍ରଙ୍କ ସୂଚନା ଅନୁସାରେ, ଏହି ଅଭ୍ୟାସରେ ବାୟୁସେନାର ଏକାଧିକ ଲଢୁଆ ବିମାନ, ଟ୍ରାନ୍ସପୋଟ ବିମାନ ସହ ହେଲିକପ୍ଟର ମଧ୍ୟ ଅବତରଣ କରିବା ସହ ପୁଣି ଉଡାଣ ଭରିଛନ୍ତି । ଯୁଦ୍ଧ କିମ୍ବା ଅନ୍ୟ କୌଣସି ଜରୁରୀ ସ୍ଥିତିରେ ଏହି ଜାତୀୟ ରାଜପଥକୁ ବିନା ସମସ୍ୟାରେ ରନ-ଓ୍ବେ ଓ ଏୟାରବେସ ଭାବେ ବ୍ୟବହାର କରିବା ପାଇଁ ଏହି ଅଭ୍ୟାସ କରାଯାଉଛି ।
ଆଜି ସକାଳୁ ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ବାୟୁସେନା ଅଧିକାରୀ ଓ ବୈଷୟିକ ଟିମ ରନଓ୍ବେ ଭାବେ ବ୍ୟବହାର ହେବାକୁ ଥିବା ରାଜପଥରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ଦିଗ ତଦାରଖ କରିଥିଲେ । ଏକାଧିକ ଅଧିକାରୀ ନିଜେ ଏକପ୍ରେସ-ଓ୍ବେ ପରିଦର୍ଶନ କରିଥିଲେ । ଅଭ୍ୟାସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ପରେ ଗୋଟିଏ ପରେ ଗୋଟିଏ 3ଟି ମିରାଜ-2000 ଲଢୁଆ ବିମାନ ସହ ଜାଗୁଆର ଜେଟ ଓ ବାୟୁସେନାର ପରିବହନ ବିମାନ AN32 ମଧ୍ଯ ଏକ୍ସପ୍ରେସ-ଓ୍ବେରେ ଅବତରଣ କରିବା ସହ ପୁଣି ଟେକ-ଅଫ କରିଛନ୍ତି ।