ମୁମ୍ବାଇ:କିଛି ଦିନର ବ୍ୟବଧାନ ପରେ ଆଜି(ରବିବାର) ପୁଣି ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବ କହିଛନ୍ତି, ନିର୍ବାଚନ କମିଶନ କ୍ଷମତାରେ ଥିବା ଦଳ ପାଇଁ କାର୍ଯ୍ୟ କରୁଛି । ଯିିଏ କ୍ଷମତାରେ ରହିବ ନିର୍ବାଚନ ଆୟୋଗ ସେହି ଦଳ ଦ୍ବାରା ପରିଚାଳିତ ହେବ । ଶିବସେନାର ନିର୍ବାଚନୀ ଚିହ୍ନ ଓ ନାମ ବିଦ୍ରୋହୀ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଦେବା ପ୍ରସଙ୍ଗରେ ଏପରି କହିଛନ୍ତି ଉଦ୍ଧବ ।
ଚିହ୍ନ ହରାଇବାର ପ୍ରାୟ ସପ୍ତାହରୁ ଅଧିକ ସମୟ ପରେ ପୁଣି ଥରେ ଉଦ୍ଧବ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି । ଚିହ୍ନ ବିବାଦ ପ୍ରସଙ୍ଗ ନିର୍ବାଚନ ଆୟୋଗଙ୍କ ନିକଟରେ ବିଚାରାଧୀନ ଥିଲା । ତେବେ ଉଭୟ ଗୋଷ୍ଠୀ ନିଜକୁ ମୁଳ ଶିବସେନା କହିବା ସହ ଚିହ୍ନ ଓ ନାମ ବ୍ୟବହାର ପାଇଁ ଦାବି କରି ଆସୁଥିଲେ । ନିକଟରେ ନିର୍ବାଚନ କମିଶନ ଏହି ମୂଳ ଚିହ୍ନ ‘ଧନୁ ତୀର’କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରଦାନ କରିବା ସହ ଶିବେସନା ଦଳ ଭାବେ ମଧ୍ୟ ମାନ୍ୟତା ପ୍ରଦାନ କରିଥିଲେ । ଯାହାକୁ ନେଇ ଉଦ୍ଧବଙ୍କ ଗୋଷ୍ଠୀ କ୍ଷୁବ୍ଧ ହେବା ସହ ସର୍ବୋଚ୍ଚ କୋର୍ଟରେ ମାମଲା ମଧ୍ୟ ଦାଏର କରିଥିଲା । ହେଲେ ସେଠାରୁ ମଧ୍ୟ ଉଦ୍ଧବ କ୍ୟାମ୍ପକୁ ନିରାଶ ହେବାକୁ ଫେରିଥିଲା ।