ହାଇଦ୍ରାବାଦ:ସୁନା ଲୋଭରେ ଭଡାଟିଆଙ୍କ ଜଘନ୍ୟ କାଣ୍ଡ । ପ୍ରେମିକ ସହ ମିଶି ୮୨ ବର୍ଷୀୟା ଘର ମାଲିକାଣୀଙ୍କ ମୁହଁରେ ତକିଆ ଚାପି ହତ୍ୟା କଲେ ଭଡାଟିଆ ମହିଳା । ଏଭଳି ଏକ ବର୍ବରୋଚିତ କାଣ୍ଡ ଘଟିଛି ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ । ମୃତ ବୃଦ୍ଧା ଘରେ ଏକୁଟିଆ ରହୁଥିଲେ । ତାଙ୍କ ଘରେ ଭଡାରେ ରହୁଥିବା ୩୨ ବର୍ଷୀୟା ମହିଳା ନିଜ ପ୍ରେମିକ ସହ ମିଶି ବୃଦ୍ଧାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ତାଙ୍କର ୨୩୦ ଗ୍ରାମ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ମୃତ ବୃଦ୍ଧାଙ୍କ ନାମ ସାମରେଡ୍ଡି ସାଥେମ୍ମା । ବୃଦ୍ଧାଙ୍କ ଘରେ ଭଡାରେ ରହୁଥିବା ଲଳିତା (୩୪) ଓ ପ୍ରେମିକ ରାକେଶ (୨୮) ତାଙ୍କ ମୁହଁରେ ତକିଆ ଚାପି ହତ୍ୟା କରିଛନ୍ତି । ଗତ ରବିବାର ରାତିରେ ରଙ୍ଗାରେଡ୍ଡି ଜିଲ୍ଲା ଥୋରୁର ସ୍ଥିତ ତାଙ୍କର ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ତଦନ୍ତରୁ ଜଣାପଡିଛି ଯେ, ବୃଦ୍ଧା ଘରେ ଏକୁଟିଆ ରହୁଥିଲେ । ଗତ ରାତିରେ ଦୁଇ ଅଭିଯୁକ୍ତ ବୃଦ୍ଧାଙ୍କ ଘରେ ପଶିଥିଲେ । ଲଳିତା ବୃଦ୍ଧାଙ୍କ ଗୋଡ ଧରିଥିଲେ ଓ ପ୍ରେମିକ ରାକେଶ ତକିଆରେ ତାଙ୍କର ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ । ଏହାପରେ ସୁନା ଗହଣା ଚୋରି କରି ଫେରାର୍ ହୋଇଯାଇଥିଲେ । ପୋଲିସ ଦୁହିଁଙ୍କ ଫୋନ ଟ୍ରେସ୍ କରି ଗିରଫ କରିଛି । ଏନେଇ ଏଲ.ବି ନଗର ଡିସିପି ସାଇଶ୍ରୀ ସୂଚନା ଦେଇଛନ୍ତି ।